ଜିଲ୍ଲା ପରିକ୍ରମା

ଅନାବୃଷ୍ଟି ପାଇଁ ଚାଷୀଙ୍କ ଉଦ୍ବେଗ ୩ ମାସରେ ଆବଶ୍ୟକ ୩୪୦, ହୋଇଛି ୧୯୧ ମି.ମି. ବର୍ଷା

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ହଦଗଡ ଶୁଖିଲା, ତେଣୁ ଗେଟ୍ ବାଟେ ବାହାରିବାକୁ ପାଣି ଉଠିପାରୁନାହିଁ। ସାଳନ୍ଦୀ ନଦୀରେ କେନାଲକୁ ପାଣି ଆସିବା ସ୍ୱପ୍ନ ହୋଇଛି। ତେଣୁ ସାଳନ୍ଦୀ ନଦୀରୁ ପାଣି ପାଉଥିବା ଦଶମୌଜା ଓ ଗୋପାଳିଆ ଦୁଇଟି କେନାଲ ଏବେ ଶୁଖିଲା ପଡିଛି। ଚାଷୀ ମୁଣ୍ଡରେ ହାତ ଦେଇଛି। ଖରାଟିଆ ବୁଣା ଧାନ ନଷ୍ଟ ହୋଇଗଲା। ୪ ହଜାର ହେକ୍ଟର ଧାନ ବୁଣା ହେବାକୁ ଲକ୍ଷ୍ୟ ଥିବାବେଳେ ଅନାବୃଷ୍ଟି ପାଇଁ ୧୨୩୫ ହେକ୍ଟର ଜମିରେ ଧାନ ବୁଣା ହୋଇଛି। ୨୦୦ ହେକ୍ଟର ବୁଣା ଧାନ ବିହନ ପୋଡି ନଷ୍ଟ ହୋଇଛି। ଜୁନ୍ ଶେଷ ହେବାକୁ ବସିଥିବାବେଳେ ଚାଷୀ କାଦୁଅ ହଳ ପାଇଁ ବାହାରିବା କଥା। କିନ୍ତୁ ଏହି ସମୟରେ ଇନ୍ଦ୍ରଦେବତା ବି ଦାଉ ସାଧୁଛନ୍ତି। ଆବଶ୍ୟକ ଅନୁପାତରେ ହେଉନାହିଁ ବର୍ଷା। ତେଣୁ ବିଲ ଫାଟି ଆଁ କରିଛି। ଚାଷୀ ବର୍ଷା ଅଭାବରୁ ବିହନ କିଣିବାକୁ ସାହସ କରୁନାହାଁନ୍ତି। ରୁଆ ହେଲେ ସିନା ସାରର ଆବଶ୍ୟକତା ପଡିବ। ତିହିଡି ବ୍ଲକ୍ରେ ଯେଉଁ ବର୍ଷା ଇନ୍ଦ୍ର ଦେବତା ଚାଷୀଙ୍କୁ ଦେଇଛନ୍ତି, ତାହା ଅଧା ବି ଫଳବତୀ ହୋଇନାହିଁ। ତଥ୍ୟ ଅନୁସାରେ ଖରିଫ ଫସଲ ପାଇଁ ଅପ୍ରେଲ ମାସ ଠାରୁ ଚାଷ କାମ ଆରମ୍ଭ ହୁଏ। କୃଷି ବିଭାଗର ଆକଳନ ଅନୁସାରେ ଏପ୍ରିଲ ମାସରେ ୫୧ ମିଲିମିଟର ବର୍ଷା ଆବଶ୍ୟକ କରୁଥିବା ବେଳେ ୮୩ ମିଲିମିଟର ବର୍ଷା ହୋଇଛି। ଆବଶ୍ୟକ ନଥିଲେ ଏହି ଅଧିକ ବର୍ଷାର। ସେହିପରି ମଇ ମାସରେ ଚାଷୀଙ୍କ ପାଇଁ ୯୧ ମିଲିମିଟର ବର୍ଷା ଆବଶ୍ୟକ ଥିଲାବେଳେ ପ୍ରକୃତି ଦେଲା ୨୨ ମିଲିମିଟର ବର୍ଷା। ମଇ ମାସରେ ଅକ୍ଷୟ ତୃତୀୟା ପରେ ଧାନ ଚାଷ ପାଇଁ ଚାଷୀ ବାହାରନ୍ତି ବିଲକୁ। କିନ୍ତୁ ମଇ ମାସରେ ୯୧ ଜାଗାରେ ମାତ୍ର ୨୨ ମିଲିମିଟର ବର୍ଷା ହେଲା। ସେହିପରି ଜୁନ୍ ମାସରେ ଚାଷୀଙ୍କ ପାଇଁ ୧୯୮ ମିଲିମିଟର ବର୍ଷା ଆବଶ୍ୟକ ହେଉଥିଲାବେଳେ ହୋଇଛି ମାତ୍ର ୮୬ ମିଲିମିଟର। ସାରା ଜୁନ୍ ମାସ ୧୨ ମିିଲିମିଟର ବର୍ଷା ହୋଇଥିବା ବେଳେ କେବଳ ଜୁନ୍ ୨୧ ତାରିଖରେ ୭୨ ମିଲିମିଟର ବର୍ଷା ହୋଇଗଲା। ତଥାପି ଚାଷ ପଛୁଆ। ଜୁନ୍ ମାସରେ ୧୯୧ ଜାଗାରେ ୮୬ ମିଲିମିଟର ବର୍ଷା ହୋଇ ୧୦୫ ମିଲିମିଟର ବର୍ଷା ଜୁନ୍ରେ କମ୍ ହୋଇଛି। ଏହି ଅନିୟମିତତା ବର୍ଷା ପାଇଁ ଚାଷ କାର୍ଯ୍ୟ ସୁଧୁରୁନାହିଁ। ଯାହା ଜଣାପଡୁଛି ତିହିଡି ବ୍ଲକ୍ର ୨୦ ହଜାର ହେକ୍ଟର ଧାନ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ପଛରେ ରହିଯିବ। ଗତବର୍ଷ ଭଳି ଏଥର ୩/୪ ହଜାର ହେକ୍ଟର ଜମିରେ ଚାଷ ହୋଇପାରିବ ନାହିଁ। ତାହା କେବଳ ଏହି ଅନିୟମିତତା ବର୍ଷା ଯୋଗୁଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top