Home ଓଡ଼ିଶା ଅନାସ୍ଥା ପ୍ରସ୍ତାବରେ କକ୍ଷତ୍ୟାଗ… ବିଜେପି କ’ଣ ବିଜେଡିକୁ ସିବିଆଇ ଡରାଇଲା?

ଅନାସ୍ଥା ପ୍ରସ୍ତାବରେ କକ୍ଷତ୍ୟାଗ… ବିଜେପି କ’ଣ ବିଜେଡିକୁ ସିବିଆଇ ଡରାଇଲା?

154

ଭୁବନେଶ୍ୱର(ଦେବଦତ୍ତ ରଥ): ତେଲୁଗ ଦେଶମ ପାର୍ଟି ପକ୍ଷରୁ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଗଲା।କଂଗ୍ରେସ ସମେତ ଟିଏମସି, ଏସପି, ଆରଜେଡି,ଆପ,ସିପିଏମ ଆଦି ବିରୋଧୀ ଦଳ ଗୁଡିକ ଏହାକୁ ସମର୍ଥନ କଲେ।ତେବେ ବିଜେଡି,ଟିଆରସି,ଏଆଇଡିଏମକେ ପରି ଦଳ ଗୁଡ଼ିକର ଭୂମିକା କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା।

ବିଜେଡି ଉଭୟ କଂଗ୍ରେସ ଏବଂ ବିଜେପି ଠାରୁ ସମଦୂରତା ରଖୁଥିବା କହୁଥିବାରୁ ବିଜେଡିର ଭୂମିକା ଯେ କ’ଣ ରହିବ ସେଥିପ୍ରତି ସମସ୍ତଙ୍କ ନଜର ରହିଥିଲା।ଅନୁମାନ କରାଯାଉଥିଲା ବିଜେଡି ଆଲୋଚନାରେ ଭାଗ ନେବ,କିନ୍ତୁ ଭୋଟ ଦାନରୁ ବିରତ ରହିବ।କିନ୍ତୁ ବିଜେଡି ଭୋଟ ଦାନରୁ ତ’ ବିରତ ରହିଲା ଆଲୋଚନାରେ ମଧ୍ୟ ଭାଗ ନେଲା ନାହିଁ।ବିଜେଡିକୁ ମିଳିଥିବା ୧୫ ମିନିଟର ସୁଯୋଗ ନନେଇ ଉଭୟ ଉପା ଏବଂ ମୋଦୀ ଶାସନରେ ଓଡ଼ିଶାକୁ ଅବହେଳା କରାଯାଇଛି ବୋଲି ପଦେ କହି କକ୍ଷ ତ୍ୟାଗ କଲା।ଏହାକୁ ନେଇ ଅନେକ ଆଶ୍ଚର୍ଯ୍ୟ ମଧ୍ୟ ହେଲେ।ଭୋଟ ଦାନରୁ ବିରତ ରହିଲେ ମଧ୍ୟ ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ସେଇ ୧୫ ମିନିଟ ଭିତରେ ବିଜେଡି ରଖିବାର ଥିଲା ବୋଲି କେତେକ ରାଜନୈତିକ ବିଶେଷଜ୍ଞଙ୍କର ମତ।

ରାଜ୍ୟ ବିଜେପି ପକ୍ଷରୁ କେତେକ କହୁଛନ୍ତି କି ମୋଦି ଓଡ଼ିଶାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି।କିନ୍ତୁ ବିଜେଡି ଅଯଥାଟାରେ ସବୁବେଳେ କେନ୍ଦ୍ରୀୟ ଅବହେଳା କଥା କହୁଛି।ଯାହାର କୌଣସି ତଥ୍ୟ ନାହିଁ।ତେଣୁ ବିଜେଡି ପାଖରେ କିଛି ତଥ୍ୟ ନଥିବାରୁ ସେ ଆଲୋଚନାରୁ ବିରତ ରହିଲା।

ତେବେ ଏଭିତରେ ଏକ ବଡ଼ କଥା ଉଠୁଛି ସିବିଆଇ ଭୟରେ ବିଜେଡି ଆଲୋଚନାରୁ ବିରତ ରହିଲା,କକ୍ଷ ତ୍ୟାଗ କଲା।ସେ ଯିଏ ଯାହା କୁହନ୍ତୁ, କିନ୍ତୁ ମୋଦି ତଥା କେନ୍ଦ୍ର ବିଜେପି ବିଜେଡିର ଏପରି ପଦକ୍ଷେପରେ ଖୁସି ଥିବ ନିଶ୍ଚୟ।ଅନସ୍ଥା ପ୍ରସ୍ତାବରେ ମୋଦି ସରକାରର ବିଜୟ ତ’ ନିଶ୍ଚିତ ଥିଲା।ଏହା ଉଭୟ ସରକାର ଏବଂ ବିରୋଧୀ ଜାଣିଥିଲେ।କିନ୍ତୁ ଏ ବାହାନାରେ ବିରୋଧୀ ନିଜର ଏକଜୁଟତା ଦେଖାଇବାକୁ ଚାହୁଁଥିଲା ଏବଂ କିଛି ପ୍ରସଙ୍ଗ ଉପରେ ବିତର୍କର ସୁଯୋଗ ପାଇ ସାଧାରଣ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବା ମଧ୍ୟ ଉଦ୍ଦେଶ୍ୟ ଥିଲା।ଏଣେ ବିଜେପି ମଧ୍ୟ ଆଲୋଚନାକୁ ଗ୍ରହଣ କରି ସେ ବିରୋଧୀଙ୍କୁ କିମ୍ବା ଅନସ୍ଥା ପ୍ରସ୍ତାବକୁ ଡରୁନାହିଁ ବୋଲି ପ୍ରତିପାଦନ କରିବାକୁ ଚାହୁଁଥିଲା।ଏହା ସହ ୧୯ ପୂର୍ବରୁ ବିଜେଡି,ଟିଆରସି, ଏଆଇଡିଏମକେ ପରି ଅଣ ଏନଡିଏ ଦଳ ଗୁଡ଼ିକର କ’ଣ ଆଭିମୁଖ୍ୟ ରହୁଛି, ତାହା ମଧ୍ୟ ଜାଣିବାକୁ ଚାହୁଁଥିଲା।

ବିଜେଡିର ପଦକ୍ଷେପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଖୁସି ଥିବେ ନିଶ୍ଚୟ।ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପରି କେତେକ ପ୍ରସଙ୍ଗରେ ବିଜେଡିର ସହଯୋଗ ମଧ୍ୟ ମିଳିସାରିଛି।ଏ ଭିତରେ ପରସ୍ପର ବିରୋଧୀ ଥିବା ବିରୋଧୀ ଦଳ ଗୁଡ଼ିକ ନିଜ ଭିତରେ ମେଣ୍ଟ କରୁଛନ୍ତି।ଯାହାର ଫଳ କର୍ଣ୍ଣାଟକରେ ବିଜେପି ଭୋଗିଲା।ଉତ୍ତରପ୍ରଦେଶ ପରି ରାଜ୍ୟରେ ସପା ଏବଂ ବସପା ମେଣ୍ଟ ୧୯ ପାଇଁ ବିଜେପିର ଏକ ଚିନ୍ତାର କାରଣ।ଏନଡିଏରୁ ତେଲୁଗ ଦେଶମ ପାର୍ଟି ଅଲଗା ହୋଇସାରିଛି।ଜାମ୍ମୁ କାଶ୍ମୀରରେ ପିିଡିପି ସହ ମେଣ୍ଟ ଭାଙ୍ଗି ସାରିଛି।ମହାରାଷ୍ଟ୍ରରେ ଏନଡିଏରେ ଥାଇ ଶିବସେନା ବାରମ୍ବାର ଡରାଉଛି।ଅଲଗା ନିର୍ବାଚନ ଲଢ଼ିବା କଥା କହୁଛି।ବିଜେପିର ହଁ’ ରେ ସବୁବେଳେ ହଁ’ ମାରି ଆସୁଥିବା ଶିରୋମଣି ଅକାଳି ଦଳ ମଧ୍ୟ ଏବେ ଟିକେ ଟିକେ ବିରୋଧାଭାଷ ଦେଖାଇଲାଣି।ତେଣେ ମେଣ୍ଟ ଭାଙ୍ଗି ପୁଣି ମେଣ୍ଟ କରିଥିବା ଜେଡିୟୁ ବଡ଼ ଭାଇ ପଣିଆ ଜାହିର କରୁଛି।ବିଜେପି ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହେଇ ଯାଇଥିବାରୁ ଅମିତ ଶାହା ବିହାର ଯାଇ ବାଟ ଖୋଜୁଛନ୍ତି।

ଏସବୁ ଭିତରେ ବିଜେଡି ବିଜେପିକୁ ସୁହାଇବା ପରି ପଦକ୍ଷେପଟିଏ ନେଇଛି।ଓଡ଼ିଶାରେ ବିଜେପିର ସ୍ଥିତି ଯେ ଅତ୍ୟନ୍ତ ଦୁର୍ବଳ ଏବଂ ରାଜ୍ୟ ବିଜେପି ନେତାମାନେ ଯେ ଖାଲି ମିଛ ଫୁଟାଣି ମାରୁଛନ୍ତି ଏହା ସମସ୍ତଙ୍କୁ ଜଣା।ଗୋଟାଏ ମାତ୍ର ନିର୍ବାଚିତ ଏମପି।ବାକି ଯାହା ଦୟାରେ ପ୍ରାପ୍ତ।ଓଡ଼ିଶାରେ ଯଦି କିଛି ଏପଟ ସେପଟ ହେଇଯାଏ ଏବଂ ବିଜେଡି ସଂଖ୍ୟା ବଳରେ କମିଯାଏ,ତେବେ କଂଗ୍ରେସର ସହାୟତା ବି ନେଇପାରେ।କଂଗ୍ରେସ ତ’ ଅନେଇ ବସିଛି।ଯାହା କେନ୍ଦ୍ର ବିଜେପି ନେତୃତ୍ୱ ଆଦୌ ଚାହିଁବେନି।ଏମିତିରେ ରାଷ୍ଟ୍ରପତି ନିର୍ବାଚନ,ଏବେ ଅନାସ୍ଥା ପ୍ରସ୍ତାବ ଭଳି କେତେ ପ୍ରସଙ୍ଗରେ ବିଜେଡି ଠାରୁ ଭଲ ସହଯୋଗ ମିଳିଛି।କହିବାକୁ ଗଲେ ଠିକ୍ ଠିକ୍ ସମୟରେ ଠିକ୍ ସହଯୋଗ ମିଳିଛି।ମୋଦୀଙ୍କ କଂଗ୍ରେସ ମୁକ୍ତ ଆହ୍ୱାନକୁ ଅପାରଗ ଓଡ଼ିଶା ବିଜେପି ତ’ ପୂରଣ କରି ପାରିନି,ବରଂ ନବୀନ କରି ପାରିଛନ୍ତି।ମିଶନ ୧୨୦ ବା ଓଡ଼ିଶାରେ ସରକାର ଗଢ଼ିବା କେନ୍ଦ୍ର ବିଜେପିର ମୂଳ ଲକ୍ଷ୍ୟ ନୁହଁ।ମୂଳ ଲକ୍ଷ୍ୟ ହେଲା ୨୧ଟି ଏମପି ଆସନ।୨୦ ଏବେ ବିଜେଡି ହାତରେ।ଯାହାର ଫାଇଦା ବିଜେପି ଏବେ ପରୋକ୍ଷରେ ପାଇଲା।୧୯ ବେଳକୁ ବିଧାୟକ ସଂଖ୍ୟାରେ କିଛି ଓଲଟପାଲଟ ହେଇଗଲେ ଏବଂ ବିଜେଡି ସଂଖ୍ୟା କମିଗଲେ ଯଦି ବିଜେଡି କଂଗ୍ରେସ ସହଯୋଗ ନିଏ ତେବେ କ’ଣ ହେବ?ଏବେ ଯେଉଁ ପରୋକ୍ଷ ସମର୍ଥନ ମିଳିଲା ସେତକ ଯାଇ ବରଂ ପ୍ରତ୍ୟକ୍ଷ ବିରୋଧ ଆସିଯିବ।ଯାହା କେନ୍ଦ୍ର ବିଜେପି କେବେ ଚାହିଁବନି।ଉଭୟଙ୍କୁ ଉଭୟଙ୍କର ଆବଶ୍ୟକତା ରହିଛି।ବିଜେପି ହାତରେ ସିବିଆଇ ବଳ ଥିବା କହିଲେ ନବୀନଙ୍କ ପାଖରେ ସମର୍ଥନ ଦେବାର ବଳ ମଧ୍ୟ ରହିଛି।ପରିସ୍ଥିତି ଯାହା,ଯଦି ନବୀନ ସାମାନ୍ୟ ଆଗ୍ରହ ପ୍ରକାଶ କରିବେ ତେବେ ମୋଦି ବା କେନ୍ଦ୍ର ବିଜେପି ସାଙ୍ଗେ ସାଙ୍ଗେ କୋଳେଇ ନେବେ।ବିହାର ତଥା ନୀତିଶ କୁମାର ଏକ ଉଦାହରଣ।

କିନ୍ତୁ ଏସବୁ ଛନ୍ଦକୁ ନଜାଣି ବା ଜାଣି ନଜାଣିଆ ହୋଇ ରାଜ୍ୟ ବିଜେପି ନେତାମାନେ ତୁମ୍ବି ତୋଫାନ କରୁଛନ୍ତି।ବିଜେଡି ପାଖରେ ତଥ୍ୟ ନାହିଁ ବୋଲି ଆଲୋଚନାକୁ ଲୁଚିଲା/ଡରିଗଲା କହୁଛନ୍ତି।ତେବେ ଏ ଭିତରେ ନବୀନ/ବିଜେଡି ସିବିଆଇ ଭୟରେ ଆଲୋଚନାରୁ ଦୂରେଇ ରହିଲା ଅନ୍ୟ କେହି କହିବା ଅଲଗା।”ସିବିଆଇ ଭୟରେ ସଂସଦରେ ଲାଙ୍ଗୁଡ଼ ଜାକି ପଳେଇଲା ବିଜେଡି” ବୋଲି ବିଜେପି କହିବା କେତେଦୂର ଠିକ୍?ଏହାର ଅର୍ଥ ବିଜେପି କ’ଣ ସ୍ୱୀକାର କରୁଛି ଯେ ସିବିଆଇ କେନ୍ଦ୍ର ସରକାର/ମୋଦୀଙ୍କ ଇଶାରାରେ ଚାଲିଛି?ସିବିଆଇକୁ “ପଞ୍ଜୁରୀ ଭିତର ସାରୀ” ବୋଲି ସୁପ୍ରିମକୋର୍ଟ କହିଥିବା କଥାକୁ କ’ଣ ଓଡ଼ିଶା ବିଜେପି ନେତା ସତ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.