ଅଧିକ ଯୌତୁକ ଦାବିରେ ନବବଧୂ ବବିତାଶ୍ରୀକୁ ପୋଡି ହତ୍ୟା ଉଦ୍ୟମ ସ୍ଥାନୀୟ ପୁଲିସ୍ ପାଖରୁ ନ୍ୟାୟ ନପାଇ ଏସ୍ପିଙ୍କୁ ଭେଟିଲେ ପୀଡିତା ପରିବାର ଓ ଗ୍ରାମବାସୀ

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) ; ଅସୁନ୍ଦର ଓ କାଳୀ ବୋଲି କହି ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ଦେଇଆସୁଥିବା ଶ୍ୱଶୁରଘର ଲୋକେ ଶେଷରେ ନବବଧୂ ବବିତାଶ୍ରୀ କୁ ନିଆଁରେ ପୋଲି ହତ୍ୟା କରିବାର ଜଘନ୍ୟ ଷଡଯନ୍ତ୍ର କରିଥିବା ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ଥାନା ପୁଲିସ୍ ଗିରଫ ନକରିବା ଘଟଣାରେ କନ୍ୟାର ପରିବାର ଓ ସ୍ଥାନୀୟ ଗ୍ରାମବାସୀମାନେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବଂ ଆସନ୍ତା ୭ ଦିନ ମଧ୍ୟରେ ନିରପେକ୍ଷ ତଦନ୍ତ ପୂର୍ବକ ଜଣେ ନିରୀହ ନବବଧୂକୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିବାର ଉଦ୍ୟମ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ ନକଲେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବାର ଚେତାବନୀ ଦେଇଛନ୍ତି। ଅଭିଯୋଗକାରୀ ପିତା ଶ୍ୟାମସୁନ୍ଦର ଯେନା ଏହି ଜିଲାର ଆଗରପଡା ଥାନା ସମେତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦେଇଥିବା ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ପଡୋଶୀ କେନ୍ଦୁଝର ଜିଲାର ସୋସୋ ଥାନା ଅଧୀନସ୍ଥ ଜମ୍ଭିରା ଗ୍ରାମନିବାସୀ ଶ୍ୟାମସୁନ୍ଦର ଯେନାଙ୍କ କନ୍ୟା ବବିତାଶ୍ରୀ ସହ ଭଦ୍ରକ ଜିଲାର ଆଗରପଡା ଥାନା ଅଧୀନସ୍ଥ ଗୋପାଳପୁର ଗ୍ରାମନିବାସୀ ରଘୁନାଥ ଗିରିଙ୍କ ପୁତ୍ର ଚକ୍ରଧରଙ୍କର ହିନ୍ଦୁ ରୀତି ବୈଦିକ ଶାସ୍ତ୍ର ମତେ ଗତ ୨୦୧୭ ମାର୍ଚ୍ଚ ୨ ରେ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ନଗଦ ୧ ଲକ୍ଷ ଟଙ୍କା, ସମସ୍ତ ସୁନା ଓ ରୂପା ଅଳଙ୍କାର ସମେତ ଆନୁଷଙ୍ଗିକ ଆସବାବ ପତ୍ର ଯୌତୁକ ବାବଦ ଦିଆଯାଇଥିଲା। ମାତ୍ର ବିବାହ ପରଠାରୁ ଶ୍ୱଶୁର ଘରର ଚକ୍ରଧର ଗିରି, ମକରଧ୍ୱଜ ଗିରି, ରଘୁନାଥ ଗିରି, ସୌମ୍ୟପ୍ରକାଶ ଗିରି, ଜୟଲଳିତା ଗିରି, ସୁଷମା ଗିରି ପ୍ରମୁଖ ଶ୍ୱଶୁର, ସ୍ୱାମୀ, ଦେଢଶୁର, ଯା’ ମାନେ ବବିତାଶ୍ରୀକୁ ଅସୁନ୍ଦର ଓ କାଳୀ କହି ବୋହୂ ଭାବେ ଗ୍ରହଣ କରିବାକୁ ହେଲେ ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଧମକାଇ ଆସୁଥିଲେ। ମାତ୍ର କନ୍ୟାଘର ଦରିଦ୍ର ହୋଇଥିବାରୁ ତାହା ଦେବାକୁ ଅକ୍ଷମ ହେବାରୁ ଉପରୋକ୍ତ ବ୍ୟକ୍ତିମାନେ ବବିତାଶ୍ରୀ ପ୍ରତି ବିଭିନ୍ନ ଅଶ୍ଳୀଳ ଆଚରଣ ପୂର୍ବକ ମାଡମାରି ଘରୁ ବାହାର କରିଦେଇଥିଲେ। ଫଳରେ ଶ୍ୟାମସୁନ୍ଦର ୩/୪ ଥର କନ୍ୟାର ଶ୍ୱଶୁରଘରକୁ ଯାଇ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ବୁଝାସୁଝା କରି ରଖାଇଆସିଥିଲେ। କିନ୍ତୁ ଇତିମଧ୍ୟରେ ଅଭିଯୁକ୍ତମାନେ ସ୍ୱାମୀ ଚକ୍ରଧରକୁ ଚକ୍ରାନ୍ତପୂର୍ଣ୍ଣ ଭାବେ ବିଶାଖାପାଟନମ୍ ପଠାଇ ଦେଇ ପୂର୍ବ ପରିକଳ୍ପିତ ଯୋଜନା ମୁତାବକ ଗତ ଜୁନ୍ ୨ ତାରିଖ ଦିନ ରାତି ପ୍ରାୟ ୧୨ଟା ସମୟରେ ବବିତାଶ୍ରୀ ଶୌଚ ହେବାକୁ ଘର ବାହାରକୁ ଆସିଥିବାବେଳେ ପଛପଟୁ ମାଡିବସି ତଳେ ପକାଇ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ। ଏହି ଅଘଟଣ ସଂପର୍କରେ ବବିତା କିଛି ବୁଝିନପାରି ପ୍ରାଣ ବିକଳରେ ଲୋକମାନଙ୍କୁ ଡାକ ପକାଇଥିଲେ ମଧ୍ୟ ଲୋକେ ଶୋଇଥିବାରୁ ସେ ପ୍ରାଣରକ୍ଷା ପାଇଁ ସେଠାରୁ ଖସି ରାସ୍ତାରେ ଦୌଡିବାକୁ ଲାଗିଥିଲା। ଅଭିଯୁକ୍ତମାନେ ତାକୁ ଗୋଡାଇଥିଲେ ମଧ୍ୟ ଗ୍ରାମବାସୀ ଉଠିପଡିବାରୁ ଭୟରେ ପଳାଇଥିଲେ। କବିତାଶ୍ରୀ ପାଖରେ ଥିବା ଏକ ପାଣିକୁଣ୍ଡରେ ନିଜକୁ ଲିଭାଇ ଅନ୍ଧାରରେ ଧାଇଁବା ଭିତରେ ପାଖରେ ଥିବା ମୋବାଇଲ୍ରୁ ମାମୁଁ ଗଂଗାଧର ନିକଟକୁ ଫୋନ୍ କରିବାରୁ ସେ ଗଣିଜାଙ୍ଗରୁ ମୋଟର ସାଇକେଲ୍ରେ ଯାଇ ମୂମୁର୍ଷ ଅବସ୍ଥାରେ ରାସ୍ତାରେ ଚେତା ହରାଇ ପଡିଥିବା ବବିତାଶ୍ରୀକୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ଆଣିଥିଲେ। ବବିତାଶ୍ରୀ ଡାକ୍ତରଖାନାରେ ମୁମୂର୍ଷ ଅବସ୍ଥାରେ ଚିକିତ୍ସାଧୀନ ଥିବାବେଳେ ପିତା ଶ୍ୟାମସୁନ୍ଦର ଗତ ଜୁନ୍ ୩ ତାରିଖରୁ ଆଗରପଡା ଥାନାରେ ଏ ସଂପର୍କରେ ଏକ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ପୁଲିସ୍ କେବଳ କେଶ୍ ନଂ ୫୭, ଦଫା ୪୯୮ (କ) / ୩୦୭ / ୩୪ ଓ ୪ ଡି.ପି. ଆକ୍ଟ ମୂଳେ ଏକ ମାମଲା ରୁଜୁ କରି ଏଏସ୍ଆଇ ଏସ୍. ସେଠୀଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରି ଏପର୍ଯ୍ୟନ୍ତ ଚୁପ୍ ହୋଇ ବସିଛି। ଏଣୁ ନ୍ୟାୟ ନପାଇ ପିତା ଶ୍ୟାମସୁନ୍ଦର ଓ ଗ୍ରାମବାସୀମାନେ ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଶରଣାପନ୍ନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *