ଅଧିକାରୀଙ୍କ ପିସି ମୋହ ନେବ ଠିକାଦାରଙ୍କ ଜୀବନ !

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ଜନସ୍ୱାସ୍ଥ୍ୟ ବିଭାଗର ଏକ ଅଂଶ ବିଶେଷ ରୁପେ ସୋରେଜ ବୋର୍ଡ ଗତ ୨ ବର୍ଷରୁ ସହରରେ ତାର କାର୍ଯ୍ୟକଳାପ ଆରମ୍ଭ କରିଥିଲେ ହେଁ ଦୁର୍ନିତୀକୁ ମୁଳ ମନ୍ତ୍ର ଭାବେ ଚୟନ କରିନେଇଥିବା କିଛି ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ରାଉରକେଲା ସହରବାସୀଙ୍କ ପାଇଁ ଏହା ଏବେ କୈାଣସି ଯମ ଯନ୍ତ୍ରଣାରୁ କମ ନୁହେଁ ତାହା ସହଯେ ଅନୁମେୟ। ଗୋଟିଏ ପଟେ ସୋରେଜ କାମ ଯୋଗୁ ସହରର ବିଭିନ୍ନ ଅଞ୍ଚଳର ରାସ୍ତା ଏବେ ଖାଲଖମାରେ ପରିଣତ ହୋଇଥିଲା ବେଳେ ସର୍ବଦା ଧୁଳିର ଏକ ଆସ୍ତରଣ ଓ ଅବା‚ିତ ଦୁର୍ଘଟଣା ବାସିନ୍ଦାଙ୍କୁ ଅତିଷ୍ଠ କଲାଣି। ତ ଅପରପକ୍ଷେ ମୁନାଫାଖୋର ଅଧିକାରୀଙ୍କୁ ମନମୁତାବକ ପିସି ଦେଇ ନପାରି ଜନୈକ ଠିକାଦାର ଆତ୍ମହତ୍ୟାର ବାଟ ବାଛି ନେବା ସୋରେଜ କାମର ଧାର୍ଯ୍ୟ ସମୟରେ ସଫଳତା ତଥା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜନୈକ ଠିକାଦାର ଅରୁଣ ମିଶ୍ର ଦିର୍ଘଦିନରୁ ରାଉରକେଲାରେ ସୋରେଜ ବୋର୍ଡର କାମ କରୁଥିଲେ ହେଁ ବିଭାଗୀୟ ଅଧିକାରୀଙ୍କୁ ତାଙ୍କ ମନକୁ ସୁହାଇଲା ଭଳି ପିସି ଦେଇ ପାରୁନଥିବାରୁ କାମ କରି ମଧ୍ୟ ୧୦ ଲକ୍ଷରୁ ଉର୍ଦ୍ଦ ଟଙ୍କା ବକେୟା ପଡିବା ଅଧିକାରୀଙ୍କ ମନୋବୃତ୍ତିକୁ ସ୍ପଷ୍ଟ କରୁଛି। ବିଭିନ୍ନ ଆଡୁ ଅର୍ଥ ଆଣି ଏଲ ଏଣ୍ଡ ଟି ଠାରୁ ପେଟିରେ କାମ ନେଇ ସୋରେଜ କାମ କରୁଥିବା ଉକ୍ତ ଠିକାଦାର ନିଜର କାମ ସମ୍ପୂର୍ଣ୍ଣ କରିଦେଇଥିଲେ ହେଁ ସୋରେଜ ବୋର୍ଡର ସ୍ଥାନୀୟ ଯନ୍ତ୍ରୀ ଓ ଅଧିକାରୀଙ୍କୁ ସନ୍ତୁଷ୍ଟ କରିନପାରିବାରୁ ଅଧିକାରୀ ଓ ଯନ୍ତ୍ରୀ ମାନେ ଉକ୍ତ କାମର ଫାଇନାଲ ରିପୋର୍ଟ ଦେଇ ନଥିଲେ। ଏଣୁ ଠିକା କମ୍ପାନୀ ଏଲ ଏଣ୍ଡ ଟି ଠିକାଦାରଙ୍କୁ ଅର୍ଥ ପଇଠ କରିପାରିନଥିବା କୁହାଯାଉଛି। ତେବେ ପୂର୍ବରୁ ରାଉରକେଲା ସୋରେଜ ବୋର୍ଡ କାର୍ଯ୍ୟାଳୟରେ ଚାଲିଥିବା ଅନେକ ଅନିୟମିତତା ଓ ଦୁର୍ନିତି ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ ସଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ଆଜି ଜଣେ ଠିକାଦାର ଆତ୍ମହତ୍ୟାର ବାଟ ଚୟନ କରିବା ବିଭାଗୀୟ କାର୍ଯ୍ୟଶୈଳିକୁ ପଦାରେ ପକାଇଛି। ରାଉରକେଲା ସିଭିଲ ଟାଉନର ସଞ୍ଜୟ ମାର୍କେଟ ନିକଟରେ ଥିବା ସୋରେଜ ବୋର୍ଡ କାର୍ଯ୍ୟାଳୟ ପରିସରରେ ସଞ୍ଜ ନଇଁଲେ କିଛି ନିର୍ଦ୍ଧିଷ୍ଟ ଠିକାଦାର ଓ ଯନ୍ତ୍ରୀମାନଙ୍କର ଆମୋଦ ପ୍ରମୋଦର ଆସର ଜମୁଥିବାବେଳେ ଏକଦା ଏଭଳି ଅନୈତିକ କାର୍ଯ୍ୟ କରି ଧରାପଡି ହଇରାଣ ହରକତ ହୋଇଥିବା ଛକ ବଜାରରେ ଆଲୋଚନା ହେଉଛି। କେବଳ ଏତିକି ନୁହେଁ ରାଉରକେଲା ସୋରେଜ ବୋର୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀ ଗତ ପ୍ରାୟ ୨୦ ମାସ ପୂର୍ବେ ଏଠାରୁ ଖଣ୍ଡପଡାକୁ ବଦଳି ହୋଇଯାଇଥିଲେ ହେଁ ବଦଳି ହୋଇ ଯିବା ପରିବର୍ତ୍ତେ ସରକାରଙ୍କ ଠାରୁ ଘରଭଡା ବାବଦରେ ମାସିକ ଅର୍ଥ ନେଇ ମଧ୍ୟ କାର୍ଯ୍ୟାଳୟ ପରିସରରେ ଥିବା ବାତାନୁକୁଳ ଗେଷ୍ଟ ହାଉସକୁ ଚତୁରତାର ସହିତ ମାଡିବସିଥିବା କିଛି କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ସେହିଭଳି କାର୍ଯ୍ୟାଳୟ ପରିସରରେ ଜନୈକ ଅଣ କର୍ମଚାରୀ ସୁରେନ୍ଦ୍ର ଜେନା ବେନିୟମ ଭାବେ ଘର ନିର୍ମାଣ କରି ସପରିବାର ରହି ଆସୁଛନ୍ତି। ତେବେ ଅହେତୁକ ଅନୁକମ୍ପାପୂର୍ବକ ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପରାମର୍ଶ କ୍ରମେ ସୁରେନ୍ଦ୍ରଙ୍କୁ କାର୍ଯ୍ୟାଳୟରୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ତହା ସହଜେ ଦେଖା ଯାଇପାରେ। କାର୍ଯ୍ୟାଳୟ ପରିସରରେ ସୁରେନ୍ଦ୍ରଙ୍କ ବେଆଇନ ବିଦ୍ୟୁତ ସଂଯୋଗ ତଥା ଜବରଦଖଲ ନେଇ ପୂର୍ବରୁ ଅନେକ ସାମାଜିକ ଅନୁଷ୍ଠାନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ଥଇଥାନ ନେଇ ବିଭାଗୀୟ ଅଧିକାରୀଙ୍କ ଶାସକ ଦଳର ନେତାଙ୍କ ଶରଣ ପଶିବା ସମଗ୍ର ଘଟଣାକୁ ରହସ୍ୟାବୃତ କରିଛି। ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକଙ୍କ ପିସି ବନ୍ଦ ନେଇ ସ୍ପଷ୍ଟ ନିର୍ଦ୍ଦେଶ ପରେ ରାଜ୍ୟ ରାଜନିତିରେ ଅନେକ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା ଏଣୁ ଦୃଷ୍ଟି ଏଡାଇବା ପାଇଁ ସ୍ଥାନୀୟ ସୋରେଜ ବୋର୍ଡ ଅଧିକାରୀ ଏଭଳି ଗଳା ବାଟ ବାହାର କରିଥିବା ଆଲୋଚନା ହେଉଛି। ପିସି କାରବାରକୁ ବ୍ୟବସ୍ଥିତ କରିବା ପାଇଁ ଜଣେ ଅଣ କର୍ମଚାରୀ ମାଧ୍ୟମରେ ସହଜରେ ଠିକାଦାରଙ୍କ ଠାରୁ ଅର୍ଥ ଆଦାୟ କରୁଥିବା କୁହାଯାଉଛି। ରାଜ୍ୟ ଦୁର୍ନିତୀ ସଂଘର୍ଷ ମଞ୍ଚ ଓ ରାଜ୍ୟ ମହିଳା ଅଧିକାର ମଞ୍ଚ ସମେତ ଅନ୍ୟ ଚାରି ରାଜ୍ୟସ୍ତରୀୟ ସାମାଜିକ ସଂଗଠନ ପକ୍ଷରୁ ଏଭଳି ଦୁର୍ନିତୀଗ୍ରସ୍ତ ଓ ଅନୈତିକ କାର୍ଯ୍ୟକୁ ଘଣ୍ଟ ଘୋଡାଉଥିବା ଅଧିକାରୀ କରୁଣାକର ଘଡାଇଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚୀବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଯେଭଳିକି ଭବିଷ୍ୟତରେ ଅଧିକାରୀଙ୍କ ପିସି ମୋହ କାହା ଜୀବନ ନେବାରୁ କ୍ଷାନ୍ତ ହେବ ବୋଲି ମଧ୍ୟ ଆଶା କରାଯାଇଛି।

Leave a Reply

Your email address will not be published. Required fields are marked *