ଅତିଥି ବେଶରେ ଆତଙ୍କବାଦୀ

-ଗୋଲଖ ଚନ୍ଦ୍ର ଦାସ
ରୋହିଙ୍ଗ୍ୟା ମୁସଲମାନ ଘଟଣାକୁ ନେଇ ଆଜିକାଲି ଆମ ଦେଶରେ ରାଜନୀତି ପାଣିପାଗରେ ଉଷ୍ମତା ଦେଖା ଦେଇଛି। ଏଥିଲାଗି ଏବେ ଦେଶରେ ମହାଭାରତ।  ମିଆଁମାରୁ ଆସିଥିବା ଏହି ଶରଣାର୍ଥିଙ୍କୁ ନେଇ ଦେଶର ରାଜନୀତି ଏବେ ଦୁଇ ଭାଗ। କଂଗ୍ରେସ ନେତା ମଣିଶଙ୍କର ଆୟାର, ଏସ୍ପି ନେତା ଆଜମ୍ ଖାନ ଆଦି ନେତା ରୋହିଙ୍ଗ୍ୟା ମୁସଲମାନଙ୍କୁ ଶରଣ ଦେବା ସପକ୍ଷରେ ଯୁକ୍ତି କରିଥିବା ବେଳେ ଜେଡିୟୁ ନେତା ଅଲି ଅନଓା୍ୱର କହିଛନ୍ତି ଯେ ଏ ଦେଶ ଅନେକ ଶରଣାର୍ଥିଙ୍କୁ ଆଶ୍ରୟ ଦେଇଛି ଏବେ ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଶରଣାର୍ଥି କରିବାରେ ଅସୁବିଧା କେଉଁଠି ? ଦେଶର ସରକାର ରୋହିଙ୍ଗ୍ୟାଙ୍କୁ ଶରଣ ଦେବା ପକ୍ଷରେ ନଥିବା ବେଳେ ଅନେକ ରାଜନେତା ଏହାକୁ ହିନ୍ଦୁ ମୁସଲମାନ ଚଷମାରେ ଦେଖୁଛନ୍ତି। ବିରୋଧି ଏହାକୁ ସରକାରଙ୍କର ମୁସଲମାନ ବିରୋଧୀ ନୀତି ବୋଲି କହୁଛନ୍ତି। ଏହି ରାଜନୀତିର ସାପ ସିଡି ଖେଳ ଭିତରେ ଆମକୁ ଦେଶର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ।  ଆମକୁ ପ୍ରଥମେ ଜାଣିବାକୁ ହେବ ରୋହିଙ୍ଗ୍ୟା ମୁସଲମାନ କିଏ ? ସେମାନେ ଭାରତକୁ କିପରି ଆସିଲେ ? ସେମାନଙ୍କୁ ନେଇ ବର୍ତ୍ତମାନ କି ପରିସ୍ଥିତି ସୃଷ୍ଟି ହୋଇଛି ?

ଦେଶରେ ଥିବା ତଥାକଥିତ କିଛି ମାନବତାବାଦୀ ରୋହିଙ୍ଗ୍ୟା ମୁସଲମାନଙ୍କ ଲାଗି ଅଣ୍ଟା ଭିଡିଛନ୍ତି। ସେମାନଙ୍କ ମତରେ ରୋହିଙ୍ଗ୍ୟା ମୁସଲମାନ  ପଞ୍ଜିକୃତ ଶରଥାର୍ଥି। ସେମାନଙ୍କୁ ଭାରତରୁ ବିତାଡିତ କରିବା ସମ୍ବିଧାନ ଧାରା ୧୪ ଏବଂ ୨୧ର ଉଲଙ୍ଘନ ହେବ। ଧାରା ୧୪ ରେ ଭାରତ ସମ୍ବିଧାନ ସମସ୍ତଙ୍କୁ ସମାନତା ଅଧିକାର ଦେଇଛି ଏବଂ ଧାରା ୨୧ ସମସ୍ତଙ୍କୁ   ସମାନ ଭାବରେ ବଞ୍ଚôବାକୁ ଅଧିକାର ଦେଇଛି। ଦେଶର ବିଭିନ୍ନ ଭାଗରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ପରିସ୍ଥିତି ବହୁତ ଖରାପ। ଏହା ହେଉଛି ଏକ ଆନ୍ତରାଷ୍ଟ୍ରୀୟ ସମସ୍ୟା। ଏ ସମସ୍ୟାର ସମାଧାନ ଆନ୍ତରାଷ୍ଟ୍ରୀୟସ୍ତରେ ହେବାକୁ ଥିବା ବେଳେ ଭାରତ ସରକାର ସେମାନଙ୍କୁ ଦେଶରୁ ବିତାଡିତ କରିବାକୁ ଚାହିଁଛନ୍ତି। ଏହା କଣ ମାନବିକତା ?

ଅନ୍ୟ ପକ୍ଷରେ ଭାରତ ସରକାର କହୁଛନ୍ତି ସେମାନେ ଦେଶ ପାଇଁ ବିପଦ। ରୋହିଙ୍ଗାଙ୍କୁ ଦେଶରୁ ବିତାଡିତ କରିବା ମାମଲାରେ ସୁପ୍ରିମକୋର୍ଟରେ ଗତ ସେପ୍ଟେମ୍ବର ୧୮ ତାରିଖ ଦିନ  ଜବାବ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ରୋହିଙ୍ଗ୍ୟାମାନେ ଦେଶରେ ବେଆଇନ ଭାବେ ରହୁଛନ୍ତି। ସେମାନେ ଦେଶର ନିରାପତ୍ତା ଏବଂ ସୁରକ୍ଷା ପ୍ରତି ବଡ ବିପଦ ବୋଲି କେନ୍ଦ୍ର ସରକାର ନିଜର ଜବାବରେ ମାନ୍ୟବର ଶୀର୍ଷ କୋର୍ଟଙ୍କୁ ଜଣାଇଛନ୍ତି। ବିତାଡିତ ମାମଲାରେ ରୋହିଙ୍ଗ୍ୟାମାନଙ୍କ ପକ୍ଷରୁ ଏହାକୁ ବିରୋଧ କରି ଦାଖଲ ହୋଇଛି  ଏକାଧିକ ପିଟିଶନ।  ଏ ସମସ୍ତ ତର୍କ ବିତର୍କ ମଧ୍ୟରୁ କିଏ ଠିକ୍ କିଏ ଭୁଲ ତାହା ଏବେ ବିଚାରଣୀୟ ବିଷୟ। ସରକାର ଠିକ୍ କରୁଛନ୍ତି ନା ତଥାକଥିତ ମାନବତାବାଦୀମାନେ ଠିକ୍ କହୁଛନ୍ତି ?

ଏବେ ଆମକୁ ବୁଝିବାକୁ ପଡିବ ଯେ ଭାରତ ସରକାର ରୋହିଙ୍ଗ୍ୟା ମୁସଲମାନ ଭାରତ ପ୍ରତି ବିପଦ ବୋଲି କାହିଁକି କହୁଛନ୍ତି ?   ଭାରତ ସରକାର  କହୁଛନ୍ତି ଏହି ରୋହିଙ୍ଗ୍ୟାମାନଙ୍କ ମଧ୍ୟରେ ଅନେକ ଆତଙ୍କବାଦୀଙ୍କ ସହିତ ସଂପର୍କ ରହିଛି। ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ମଧ୍ୟ ଲିପ୍ତ ଅଛନ୍ତି।

ରୋହିଙ୍ଗ୍ୟା ମୁସଲମାନ କହୁଛନ୍ତି ସେମାନେ ମିଆଁମାର ରଖାଇନ ରାଜ୍ୟର ବାସିନ୍ଦା। ସେମାନଙ୍କର ନିଜସ୍ୱ ସଂସ୍କୃତି, ନିଜସ୍ୱ ଭାଷା ଓ ନିଜସ୍ୱ ପରିଚୟ ଅଛି। ରଖାଇନରେ ଏବେ ଅଧିକରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ଅଟନ୍ତି ବୋଲି ସେମାନେ ଦାବି କରୁଛନ୍ତି।

ଏଠାରେ ବୌଦ୍ଧ ଏବଂ  ରୋହିଙ୍ଗ୍ୟା ମୁସଲମାନମାନଙ୍କ ମଧ୍ୟରେ ହେଉଥିବା ସଂଘର୍ଷ ବହୁ ପୁରାତନ ଅଟେ। ଷଷ୍ଠ ଶତାବ୍ଦୀ ସମୟରେ ସଂପୂର୍ଣ୍ଣ ମଧ୍ୟ ଏସିୟାରେ ବୌଦ୍ଧ ମତ ପ୍ରସାରିତ ହୋଇ ସାରିଥିଲା। ବାମିୟାନ ସମେତ ଅନେକ ସ୍ଥାନରେ ବୁଦ୍ଧଙ୍କ ପ୍ରତିମା ପ୍ରତିଷ୍ଠା ହୋଇ ସାରିଥିôଲା। ମୁସଲମାନଙ୍କ ଇସଲାମ୍ ଧର୍ମ ପାଇଁ ଏହା ବିପଦ ବୋଲି ସେମାନେ ଭାବୁଥିଲେ, ଯେଉଁଥି ପାଇଁକି ସେମାନେ ବୌଦ୍ଧଙ୍କ ପ୍ରତି ଅସହିଂଷ୍ଣୁ ଥିଲେ। ଏହି କାରଣରୁ ରୋହିଙ୍ଗ୍ୟା ମୁସଲମାନମାନେ ବୌଦ୍ଧଙ୍କ ଉପରେ ବାରମ୍ବାର ଅତ୍ୟାଚାର କରୁଥିଲେ। ପଂଚଦଶ ଶତାବ୍ଦୀରେ ବଙ୍ଗଳାର ସୁଲତାନ ଥିଲେ ଜଲ୍ଲାଉଦ୍ଦୀନ ମହମ୍ମଦ। ସୁ ମୁନ ଜଲ୍ଲାଉଦ୍ଦୀନଙ୍କ ସୈନ୍ୟ ସହଯୋଗ ନେଇ  ରଖାଇନର ରାଜାଙ୍କୁ ପରାସ୍ତ କରି ରାଜ୍ୟ ଦଖଲ କଲେ। ସୁଲତାନ ଏହି ମଉକାରେ ବହୁ ସଂଖ୍ୟାକ ମୁସଲମାନଙ୍କୁ ରଖାଇନକୁ ପଠାଇ ଦେଲେ। ଏହାପରେ ବଙ୍ଗଳାରେ ପ୍ରାୟ ୧୦୦ ବର୍ଷଧରି ପର୍ତ୍ତଗାଲ ଲୁଟେରାଙ୍କ ଆତଙ୍କ ଲାଗି ରହିଲା। ସେମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ବର୍ମା ନିକଟବର୍ତ୍ତୀ ରଖାଇନକୁ ଅନେକ ପଳାଇ ଯାଇଥିଲେ। ଯେତେବେଳେ ରଖାଇନରେ ମୁସଲମାନଙ୍କ ସଂଖ୍ୟା ବଢିବାରେ ଲାଗିଲା ସେତେବେଳେ ସେମାନେ ସ୍ଥାନୀୟ ବାସିନ୍ଦା ବୌଦ୍ଧମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଲେ। ଏହାପରେ ଏହାକୁ ଇଂରେଜମାନେ ଶାସନ କଲେ। ଇଂରେଜମାନେ ରୋହିଙ୍ଗ୍ୟା ମୁସଲମାନ ଓ ବୌଦ୍ଧ ମାନଙ୍କ ମଧ୍ୟରେ  ସଂଘର୍ଷ କରାଇ ଫାଇଦା ହାସଲ କରିବାକୁ ଲାଗିଲେ। ସହିବାର ସୀମା ଅଛି। ଅତି ସହି ସହି ବୌଦ୍ଧମାନେ ମଧ୍ୟ ହିଂସ୍ର ହୋଇ ଉଠିଲେ। ଇଂରେଜମାନେ ଗଲା ପରେ ରୋହିଙ୍ଗ୍ୟା ମୁସଲମାନମାନେ ଏଠାରେ ଅମାନବୀୟ ଦମନଲୀଳା ଚଳାଇଥିଲେ। ଏକ ରିପୋର୍ଟ ଅନୁସାରେ ଏକ ମାସ ଧରି ଚାଲିଥିବା ଦଙ୍ଗାରେ ପ୍ରାୟ ହଜାରରୁ ଉଦ୍ଧ୍ୱର୍ ବୌଦ୍ଧଙ୍କୁ ହତ୍ୟା କରାଯାଇଥିଲା।

୨୦୧୨ ମସିହା ଜୁନ ରୁ ଅକ୍ଟୋବର ମାସ ମଧ୍ୟରେ ରୋହଙ୍ଗ୍ୟା  ମୁସଲମାାନଙ୍କ ମଧ୍ୟରେ  ମିଆଁମାରରେଏକ ବଡ ଧରଣର ସଂଘର୍ଷ ହୋଇଥିଲା।  ଏହାର ଶାସକ ରୋହିଙ୍ଗ୍ୟା ମୁସଲମାନଙ୍କ ପ୍ରତି କଠୋର ହେବାକୁ ବାଧ୍ୟ ହୋଇଥିଲେ। ୨୦୧୨ରେ ୧ ଲକ୍ଷ ୪୦ ହାଜର ରୋହିଙ୍ଗ୍ୟା ବିସ୍ତାପିତ ହୋଇଥିଲେ। ଏବେ ବି ପ୍ରାୟ ୧ ଲକ୍ଷ ୨୦ ହଜାର ରୋହିଙ୍ଗ୍ୟା ଲୋକ ମିଆଁମାରର ରଖାଇନ ଶରଣାର୍ଥି ଶିବିରରେ ଅଛନ୍ତି। ମିଆଁମାରରେ ପ୍ରାୟ ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଲୋକ ଅଛନ୍ତି କିନ୍ତୁ ମିଆଁମାର ସେମାନଙ୍କୁ ନିଜର ଅଧିବାସୀ ବୋଲି ଭାବୁ ନାହିଁ। ମିଆଁମାରରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିରୁଦ୍ଧରେ ଦୁଇ ଥର ହିଂସାକାଣ୍ଡ ସୃଷ୍ଟି ହୋଇଛି। ଗତ ୨୫ ଅଗଷ୍ଟରେ ୧୫୦ ରୋହିଙ୍ଗ୍ୟା ଲୋକ ଅସ୍ତ୍ରଶସ୍ତ୍ର ସହିତ ୨୪ଟି ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ମିଆଁମାର ରଖାଇନ ରାଜ୍ୟରେ ହୋଇଥିବା ଏହି ଆକ୍ରମଣରେ  ୭୧ ଜଣ ମୃତୁ୍ୟ ବରଣ କରିଥିଲେ। ଏହି ଆକ୍ରମଣ ଆରାକାନ ରୋହିଙ୍ଗ୍ୟା ସାଲଭେସନ ଆର୍ମି ନାମକ ଆତଙ୍କବାଦୀ ସଂଗଠନ କରିଥିଲ୍। ଏହି ସଂଗଠନର ମୁଖ୍ୟ  ହେଉଛନ୍ତି ସରଗନା ଅତା ଉଲ୍ଲାହ। ଅତା ଉଲ୍ଲାହ ଜଣେ ରୋହିଙ୍ଗ୍ୟା ମୁସଲମାନ। ସେ ପାକିସ୍ତାନର କରାଚୀରେ ଜନ୍ମ ଗ୍ରହଣ କରିଥିଲା ଏବଂ ମକ୍କାରେ ଯାଇ ବଡ ହୋଇଥିଲା।

ରୋହିଙ୍ଗ୍ୟା ଆତଙ୍କବାଦୀମାନେ ମିଆଁମାର ସେନା ଶିବିର ଉପରେ ଆକ୍ରମଣ କରିବାରୁ ସେଠାରେ ହିଂସା ସୃଷ୍ଟି ହୋଇଥିଲା। ଅଗଷ୍ଟ ୨୫ ରୁ ଆରମ୍ଭ ହୋଇଥିବା ହିଂସାକୁ ନେଇ ରୋହିଙ୍ଗ୍ୟାମାନେ ବାଂଲାଦେଶ ଆଡକୁ ମୁହାଁଇଥିଲେ। ଇତି ମଧ୍ୟରେ ବାଂଲାଦେଶରେ ୩ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ରହିଛନ୍ତି। ସେହିପରି ଜାତିସଂଘ ଦ୍ୱାରା ପଞ୍ଜୀକୃତ ୧୪ ହଜାର ରୋହିଙ୍ଗ୍ୟା ଶରଣାର୍ଥୀ ଭାରତରେ ରହୁଥିବା ବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ୪୦ ହଜାରରୁ ଉଦ୍ଧ୍ୱର୍ ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। ତେଣୁ ଭାରତ ସରକାର ସେମାନଙ୍କୁ ବିତାଡିତ କରିବାକୁ ଚାହୁଁଛନ୍ତି। ଅନ୍ୟ ପଟେ ମିଆଁମାର ସୀମାନ୍ତ ଦେଇ ବାଂଲାଦେଶକୁ ପ୍ରବେଶ କରିଥିବା ଲକ୍ଷାଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖ ଦନ ଭାରତ ସରକାରଙ୍କ ପକ୍ଷରୁ ରିଲିଫ ପଠାଯାଇଥିଲା

ରୋହିଙ୍ଗ୍ୟା ମୁସଲମାନଙ୍କ ସହିତ ପାକିସ୍ତାନ ଆତଙ୍କବାଦୀ ସଂଗଠନର  ଯୋଗସୂତ୍ର ରହିଛି। ପାକିସ୍ତାନ ଆତଙ୍କବାଦୀ ସଂଗଠନ ବାଙ୍ଗଲାଦେଶରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥି ଶିବିରକୁ ଯାଇ ସେଠାରେ ଥିବା ରୋହିଙ୍ଗ୍ୟା ମୁସଲମାନଙ୍କୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଇ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରୁଛନ୍ତି।

କେତେକ ରୋହିଙ୍ଗ୍ୟା ମୁସଲିମ ପାକିସ୍ତାନର ଆଇଏସଆଇ ଏବଂ ଇଲାମିକ ଷ୍ଟେଟ ସଙ୍ଗଠନ ସହିତ ଜଡିତ। ତେଣୁ ସେମାନେ ଭବିଷ୍ୟତରେ ନିଶ୍ଚିତ ଭାବେ ଦେଶ ପାଇଁ ବିପଦ ସାଜିବେ, ଏଥିରେ କୌଣସି ସନେ୍ଦହ ନାହିଁ। ରୋହିଙ୍ଗ୍ୟାମାନଙ୍କୁ ବେଆଇନ ଭାବେ ସ୍ଥାନ ଦେବା ପାଇଁ ମିଆଁମାର, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ସ୍ୱତନ୍ତ୍ର ନେଟୱର୍କ କାମ କରୁଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

୨୦୧୨ରେ ହୋଇଥିବା ହିସାଂକାଣ୍ଡ ପରେ ପ୍ରାୟ ୪୦ ହଜାରରୁ ଉଦ୍ଧ୍ୱର୍ ରୋହିଙ୍ଗ୍ୟା ମୁସଲମାନ ଭାରତକୁ ଚାଲି ଆସିଥିଲେ। ସେମାନେ ଭାରତର ବିଭିନ୍ନ ରାଜ୍ୟକୁ ଯାଇ ସେଠାରେ ନିଜର ଆଡା ଜମାଇ ସାରିଲେଣି। ବିଶେଷକରି ତେଲେଙ୍ଗାନା, ହରିୟାନା, ଉତ୍ତର ପ୍ରଦେଶ, ରାଜସ୍ତାନ  ଆଦି ରାଜ୍ୟକୁ ତାଙ୍କ ଚେର ଲମ୍ବି ଯାଇଛି। ଦିଲ୍ଲୀର କାଲନ୍ଦୀ କୁଞ୍ଜରେ ତାଙ୍କର ଏକ କଲୋନୀ ଅଛି। ହରିୟାନାକୁ ମାତ୍ର ୪ଟି ପରିବାର ଯାଇଥିଲେ। ସେମାନଙ୍କର ସଂଖ୍ୟା ଥିଲା ୪୭ ଏବେ ମାତ୍ର ୫ ବର୍ଷ ପରେ ସମାନଙ୍କର ସଂଖ୍ୟା ବଢି ୧୫୦ ହୋଇଛି।  ସେମାନେ କବାଡି ବାଲା ରୂପେ ଜୀବନ ବିତାଇବା ସହିତ ଭାରତରେ ଭୋଟ ଦେବାର ଅଧିକାର ମଧ୍ୟ ପାଇ ସାରିଛନ୍ତି। ସେମାନଙ୍କ ନିକଟରେ ମଧ୍ୟ ଶରଣାର୍ଥିର ପରିଚୟ ପତ୍ର ମଧ୍ୟ ଅଛି।  ସେମାନେ ଯେଉଁ ଅଞ୍ଚଳରେ ରହିଛନ୍ତି ସେ ଅଞ୍ଚଳରେ ସାଂପ୍ରଦାୟିକ ଉତ୍ତେଜନା ବଢୁଅଛି। ଶୁକ୍ରବାର ଦିନ ନମାଜ ସମୟେର ସମସ୍ତେ ଏକଜୁଟ ହେଲା ପରେ ପାଖ ଗାଁରୁ ମଇଁଷି ଓ ଗାଇ ଗୋରୁ ଚୋରାଇ ଆଣି ମାରି ତାକୁ ରାନ୍ଧିକରି ଏକାଠି ଖାଉଛନ୍ତି। ଯାହା ଫଳରେ ସେହି ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି ହେଉଛି। ବଲଭଗଡର ମୁଲେଡି ଗାଁରେ ଏହିପରି ଅଭାବନୀୟ ଘଟଣା ଘଟି ଯାଇଛି। ଗାଁ ଲୋକଙ୍କର ଅଭିଯୋଗ ହେଉଛି ଯେ ସେମାନେ ସରକାରୀ ଜମିକୁ ଜବରଦଖଲ କରି ରହିବା ସହିତ ବିଭିନ୍ନ ପ୍ରକାର ରାହାଜାନିରେ ସଂପୃକ୍ତ ରହୁଛନ୍ତି। ସେମାନଙ୍କ ଭୟରେ ଆମେ ଖୋଲାରେ ଆମର ଗୃହପାଳିତ ପଶୁକୁ ବାହାରକୁ ଛାଡି ପାରୁ ନାହିଁ। ବେଆଇନ ଭାବରେ ଅନୁପ୍ରବେଶକରି ଥିବା ଏହି ଅନୁପ୍ରବେଶକାରୀ ଯେପର୍ଯ୍ୟନ୍ତ ଭାରତ ଛାଡି ନ ଯାଇଛନ୍ତି ତେବେ  ସେପର୍ଯ୍ୟନ୍ତ ଏଠାରେ ଶାନ୍ତି ଫେରିବା ଅସମ୍ଭବ।

ନିଜ ଦେଶରେ ହିଂସା ଯୋଗୁଁ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟାମାନଙ୍କୁ ଭାରତ କିଭଳି ବିତାଡିତ କରିବାକୁ ଚାହୁଁଛି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜାତିସଂଘର ମାନବାଧିକାର ମୁଖ୍ୟ ଜିଏଦ ରାଦ ଅଲ ହୁସେନ କହିଥିଲେ। ଏହାପରେ ଭାରତ ଦୃଢ ଜବାବ ଦେଇଥିଲା। ଅନ୍ୟ ଦେଶ ଭଳି ନିଜ ଦେଶର ନିରାପତ୍ତା ପାଇଁ ନୂଆଦିଲ୍ଲୀ ସର୍ବଦା ପ୍ରତିଶ୍ରୁତିବଦ୍ଧ। କୌଣସି ପ୍ରକାର କରୁଣା ଦେଖାଇ ଭାରତ ବଡ ଭୁଲ କରି ବିପଦକୁ ନିମନ୍ତ୍ରଣ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଉଥିଲା। ଭାରତ ସମ୍ବନ୍ଧରେ ଭୁଲ ତଥ୍ୟ ପ୍ରଚାର କର ନାହିଁ।  ଭାରତ ସରକାର ଏହି ବେଆଇନ ଅନୁପ୍ରବେଶକୁ ବରଦାସ୍ତ କରି ପାରିବେ ନାହିଁ। କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ମାନବାଧିକାର ଦଳକୁ  ଗତ ସେପ୍ଟେମ୍ବର ୧୭ ତାରିଖ ଦିନ  ରୋହିଙ୍ଗ୍ୟା ଶରଣାର୍ଥୀ ମାମଲାରେ ଏ କଥା କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି ଯେ ରୋହିଙ୍ଗ୍ୟା ଦେଶର ନିରାପତ୍ତା ପାଇଁ ବିପଦ ଏବଂ ଦେଶର ସମ୍ବଳ ନିଗାଡି ଦେବ ବୋଲି କେନ୍ଦ୍ରର ମନ୍ତବ୍ୟକୁ ଭୁଲ ବୁଝିବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦେଶର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ। ତେଣୁ ଭାରତ ଓ ଭାରତ ଲୋକମାନଙ୍କୁ ଅସହିଂଷ୍ଣୁ ନକୁହ। ଆମେ ମାନବାଧିକାରକୁ ସଂପୂର୍ଣ୍ଣ ରୂପେ ସ୍ୱାଗତ କରୁଛୁ। ରକ୍ଷା ବିଶେଷଜ୍ଞ ସୁଦର୍ଶନ କୁମାରଙ୍କ ମତରେ ଏମାନଙ୍କ ଯୋଗୁଁ ଦେଶର ସୁରକ୍ଷା ବିପଦ ପୂର୍ଣ୍ଣ।

୨୦୧୨ରେ ମିଆଁମାର ସେନା ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସେମାନେ ପ୍ରତିଶୋଧ ନେବା ପାଇଁ  ୨୦୧୩ରେ  ଭାରତର ବୁଦ୍ଧଗୟା ଠାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ମୁଖ୍ୟ ଭୂମିକା ତୁଲାଇ ଥିଲା ଲସ୍କର-ଇ-ତୋଇବା। କେବଳ ସେତିକି ନୁହେଁ କାଶ୍ମୀରରେ ଆତଙ୍କବାଦୀଙ୍କ ସଂଘର୍ଷ ବେଳେ ଦୁଇ ଜଣ ବିଦେଶୀ ଆତଙ୍କବାଦୀଙ୍କର ମୃତୁ୍ୟ ହୋଇଥିଲା। ସେଥିରେ ଜଣେ ମିଆଁମାରର ବାସୀନ୍ଦା ଥିଲେ।

ଲସ୍କର-ଇ-ତୋଏବା ମିଆମାର ଏବଂ ଥାଇଲାଣ୍ଡ ସୀମାରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଆତଙ୍କବାଦୀ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି। ହାଫିଜ ସହିଦ ନେତୃତ୍ୱରେ ଏହା ପରିଚାଳିତ ହେଉଛି। ସେଥିପାଇଁ ହାଫିଜ ସହିଦ ରୋହିଙ୍ଗ୍ୟା ଆତଙ୍କବାଦୀଙ୍କ ଶୁଭଚିନ୍ତକ ପାଲଟି ଯାଇଛି। ଏହାକୁ ସହଯୋଗ କରୁଛି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ।  ଯେଉଁଠି ରୋହିଙ୍ଗ୍ୟା ଜେହାଦୀଙ୍କୁ ଭାରତ ବିରୁଦ୍ଧରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ମତ। ତେଣୁ ରୋହିଙ୍ଗ୍ୟା ମୁସଲମାନଙ୍କ  ମାମଲାରେ ଦଳମତ ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ଚିନ୍ତା କରିବାକୁ ପଡିବ। ପାକିସ୍ତାନର ପ୍ଲାନ କଣ ତହା ବୁଝିବାକୁ ପଡିବ ?

୨୦୦୭ରୁ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ଏବେ କାହିକି ହାଫିଜ ସହିଦର ଦରଦ ଉଛୁଳି ପଡିଲା ? ଏହା ଭିତରେ ହାଇଦ୍ରାବାଦ ପୋଲିସ ଜଣେ ରୋହିଙ୍ଗ୍ୟା ଆତଙ୍କବାଦୀକୁ ଗିରଫ କରିଛି। ସେ ହେଉଛି ମିଆଁମାର ଇକୈପୁ ରାଜ୍ୟର ବୁଶିଡାଙ୍ଗ ଜିଲ୍ଲାର ନୟାପଡା ଗାଁର ବାସୀନ୍ଦା ମହମ୍ମଦ ଇସମାଇଲ। ଏହି ଆତଙ୍କବାଦୀ  କହିଛି ୨୦୧୪ରେ ଢାକା ଦେଇ ସେ କଲିକତା ଆସିଥିଲା। ଦମଦମ ନଗରପାଳୀକା ଠାରୁ ସେ ଜନ୍ମ ପ୍ରମାଣ ପତ୍ର ପାଇବା ପରେ ସେ ନିଜକୁ ଭାରତୀୟ ନାଗରୀକ ଭାବେ ପ୍ରମାଣ କରି ପାରିଥିଲା। ଏଥିରୁ ପ୍ରମାଣିତ ହୋଇ ଯାଇଉଛି ରୋହିଙ୍ଗ୍ୟା ମୁସଲମାନ ଆତଙ୍କବାଦୀ ହେବା ସହିତ ଭାରତରେ ପ୍ରବେଶ କରି ସାରିଛନ୍ତି। ଗୁଇନ୍ଦା ଏଜେନ୍ସି ଯେଉଁ ବିପଦ କଥା କହୁଛନ୍ତିି ତାହା ଭୁଲ ନୁହେଁ। ଧରାପଡିଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଜେରା ବେଳେ ଜଣା ପଡିଥିଲା ଯେ ସେହି କ୍ୟାମ୍ପରେ ଖଲିସ୍ଥାନୀ ଆତଙ୍କବାଦୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। ଆଇଏସ୍ଆଇ ସେହି ଆତଙ୍କବାଦୀଙ୍କୁ ଅର୍ଥ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇ ଦେଉଛି। ଏହା ହେଉଛି ପାକିସ୍ତାନର ଦୋମୁହାଁ ନୀତି। ଗୋଟିଏ ପଟେ ସେ ରୋହିଙ୍ଗ୍ୟା ମୁସଲମାନଙ୍କ ଶୁଭ ଚିନ୍ତକ ବୋଲି ଦେଖାଇ ହେଉଥିବା ବେଳେ ଅନ୍ୟ ପଟରେ ରୋହିଙ୍ଗ୍ୟାମାନଙ୍କୁ ଅସ୍ତ୍ରକରି ଭାରତ ବିରୁଦ୍ଧରେ ଆତଙ୍କ ଯୁଦ୍ଧକୁ ନୂଆ ଆୟାମ ଦେବାକୁ ଚାହୁଁଛି। ପାକିସ୍ତାନ ଏହି ଉପାୟରେ ବଙ୍ଗଳାଦେଶ, ମିଆଁମାର ଓ ଥାଇଲାଣ୍ଡରେ ନୂଆ ଆତଙ୍କବାଦୀ ସଂଗଠନ ସୃଷ୍ଟି କରିବାକୁ ଚାହୁଁଛି। ଆଇଏସ୍ଆଇ ରୋହିଙ୍ଗ୍ୟା ଜେହାଦୀଙ୍କୁ ହର କତ ଉଲ୍ ଜିହାଦ ଇସଲାମ ଆରକନ୍ ସାହାଯ୍ୟରେ ଟ୍ରେନିଂ ଦେଉଛି। ଏହି ସଂଗଠନର ନେତା ମୌଲାନ ଅବଦୁଲ କୁଦୁସ ଏବେ ପାକିସ୍ତାନରେ ରହୁଛି। ଏହି ସଂଗଠନରେ ଏକ ହଜାରରୁ ଉଦ୍ଧ୍ୱର୍ ଜିହାଦୀ ଅଛନ୍ତି। ଏହି ସଂଗଠନ ଦ୍ୱାରା ହାଫିଜ ସଇଦ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଛି। ଏହା ହେଉଛି ପାକିସ୍ତାନର ପ୍ଲାନ ଆତଙ୍କବାଦୀ ଅତିଥି।

କଣ ଏସବୁ ଜାଣିଲା ପରେ ଆମେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଭିରତରେ ରହିବା ପାଇଁ କହିବା କି ? ରୋହିଙ୍ଗ୍ୟା ମୁସଲମାନଙ୍କ ଯୋଗୁଁ ଦେଶର ଭୌଗଳିକ ପରିସ୍ଥିତିରେ କିଛି ପରିବର୍ତ୍ତନ ହେବ ନାହିଁ ତ ? ମିଆଁମାର ନିଜ ଲୋକଙ୍କୁ ନିଜର ମାନୁ ନାହଁ ତେବେ ଭାରତ କାହିଁକି ଏମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଅତିଥି କରିବ ବୋଲି ଏବେ ପ୍ରଶ୍ନ ଉଠୁଛି ?  ମୁସଲମାନଙ୍କୁ ନେଇ ଭୋଟ ବ୍ୟାଙ୍କ ସୃଷ୍ଟି କରୁଥିବା ରାଜନୈତିକ ଦଳମାନଙ୍କର ସଂଖ୍ୟାଲଘୁ ତୁଷ୍ଟିକରଣ ନୀତି ରୋହିଙ୍ଗ୍ୟାମାନଙ୍କୁ ଭାରତରେ ଅତିଥି ହେବାକୁ କହୁଛନ୍ତି ନା ଆଉ କିଛି ?

କିଛି ରାଜନୈତିକ ନେତା, ମାନବାଧିକାର କର୍ମୀ କହୁଛନ୍ତି ଭାରତରେ ମୁସଲମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି। ସେଥିପାଇଁ ଏହି ଅନୁପ୍ରବେଶକାରୀ ରୋହିଙ୍ଗ୍ୟା ମୁସଲମାନମାନେ ଭାରତରୁ କୌଣସି ମୁସଲମାନ ଦେଶକୁ ଚାଲି ଯିବା ଉଚିତ। ମୁସଲମାନ ଦେଶରେ ସୁରକ୍ଷିତ ଭାବରେ ରହି ପାରିବେ। ଏହା ନକରି କାହିଁକି ଭାରତରେ ରହିବା ପାଇଁ ପସନ୍ଦ କରୁଛନ୍ତି ? ନା ଯୋଜନା ବଦ୍ଧ ଭାବେ ସେମାନଙ୍କୁ ଭାରତକୁ ପଠା ଯାଉଛି ? ସେମାନେ ନିଜ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ନରହି କାହିଁକି ଜାମ୍ମୁ କାଶ୍ମୀରରେ ରହିବାକୁ ଚାହୁଁଛନ୍ତି ?

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଟୁଇଟ୍କରି ରୋହିଙ୍ଗ୍ୟାଙ୍କ ସପକ୍ଷରେ ଅଛନ୍ତି ବୋଲି କହି କହିଛନ୍ତି ଯେ ସବୁ ରୋହିଙ୍ଗ୍ୟା ମୁସଲମାନ ଆତଙ୍କବଦୀ ନୁହଁନ୍ତି କିନ୍ତୁ ଏବେ ପ୍ରଶ୍ନ ଉଠୁଛି ସମସ୍ତ ରୋହିଙ୍ଗ୍ୟା ମୁସଲମାନ ଆତଙ୍କବାଦୀ ନୁହଁନ୍ତି ତେବେ କିଛିତ ଆତଙ୍କବାଦୀ। ଏହାର ଗ୍ୟାରେଣ୍ଟି  କିଏ ନେବ ଭାରତରେ ରହୁଥିବା ରୋହିଙ୍ଗ୍ୟାଙ୍କ ମଧ୍ୟରେ କେହି ମଧ୍ୟ ଆତଙ୍କବାଦୀ ନାହାଁନ୍ତି। ଯେଉଁ ରୋହିଙ୍ଗ୍ୟା ମୁସଲମାନ ମିଆଁମାରରେ ଉତ୍ପାତ କରିବା ସହିତ ଆତଙ୍କ ବାଦୀ ସଂଗଠନ କରିଛନ୍ତି ସେମାନେ ଭାରତରେ ଏପରି କରିବେ ନାହିଁତ ? କଣ ପାଇଁ ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ରାଜନୈତିକ ସଂରକ୍ଷଣ ଦାବୀ ହେଉଛି ?  ଯେଉଁମାନେ ରୋହିଙ୍ଗ୍ୟା ମୁସଲମାନ ନାଁରେ ରାଜନୀତି କରୁଛନ୍ତି ସେମାନେ ତଥ୍ୟ ଜାଣିକରି ନିଷ୍ପତ୍ତି ନିଅନ୍ତୁ। ସେମାନେ କଣ ଆତଙ୍କବାଦୀଙ୍କୁ ନିଜ ପୋଡୋଶୀ କରିବେ ?  ପାକିସ୍ତାନ ତିଆରି କରିଛି ଆତଙ୍କବାଦୀ ଅତିଥି। ସେମାନେ ଭାରତକୁ ଧର୍ମଶାଳା କରି ଆତଙ୍କ ବିସ୍ତାର କରିବେ। ଅତିଥିନାମରେ ଆତଙ୍କବାଦର ପ୍ରବେଶ  ହୋଇ ସାରିଛି। ଏହା ହେଉଛି ପାକିସ୍ତାନ ପ୍ରସ୍ତୁତି ନୂଆ ଷଡଯନ୍ତ୍ର।  ଯେଉଁମାନେ ରୋହିଙ୍ଗ୍ୟା ମୁସଲମାନଙ୍କୁ  ଅତିଥି ବୋଲି  କହି ସେମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ କାହିଁକି ଦିଲ୍ଲୀର ପୁଟପାଥରେ ପଡିରହିଥିବା କାଶ୍ମୀର ପଣ୍ଡିତମାନଙ୍କ ପାଇଁ ଟିକିଏ ହେଲେ ଦରଦ ଦେଖାଇ ନାହାଁନ୍ତି ? ଶରଣାଥି ଭାବେ ରହିଥିବା ଏହି କାଶ୍ମୀର ପଣ୍ଡିତମାନଙ୍କୁ ତାଙ୍କ ଅଞ୍ଚଳକୁ ଫେରାଇ ଦେବା ପାଇଁ ତଥା ସେମାନଙ୍କ ସୁଖ ଦୁଖଃରେ କେବେ ହେଲେ ପଦଟୁଏ କହି ନାହିଁନ୍ତି କାହିଁକି ?
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା

(ଏହା ଲେଖକଙ୍କ ନିଜସ୍ୱ ମତ)

Leave a Reply

Your email address will not be published. Required fields are marked *