ଅଣସର ପଣା: ମହାପ୍ରଭୁଙ୍କ ଅନନ୍ୟ ନୈବେଦ୍ୟ

ପୁରୀ:୩୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସ୍ନାନପୂର୍ଣ୍ଣିମା ପରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି। ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତୀ ଜ୍ୱର ରୋଗରେ ପିଡ଼ୀତ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବାପୂଜା ଓ ଉପଚାର। ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ ସେବାପୂଜା କରୁଛନ୍ତି ଅଣସର ପିଣ୍ଡିରେ। ଅଣସର ବିଧି ଅନୁଯାୟୀ ଶ୍ରୀ ବିଗ୍ରହମାନଙ୍କୁ ଏବେ ଲଘୁ ଉପଚାର ନୈବେଦ୍ୟ ଅର୍ପଣ କରାଯାଉଛି। ସାମାଜିକ ବିଧି ବ୍ୟବସ୍ଥା ଅନୁଯାୟୀ କାହାକୁ ଜ୍ୱର ହେଲେ ଯେପରି ପଥି ଉପଚାର କରାଯାଏ। ସେହି ଭଳି ଭାବେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରାଯାଉଛି। ରାତ୍ରୀରେ ମହାପ୍ରଭୁଙ୍କ ଚକଟା ଭୋଗ ପରେ ଏହି ପଣାଭୋଗ ଅର୍ପଣ କରାଯାଏ। ମହାପ୍ରଭୁଙ୍କର ଏହା ଅର୍ପଣ କରାଯିବା ପରେ ବିଭିନ୍ନ ଦେବାଦେବୀଙ୍କୁ ଅର୍ପିତ କରାଯିବା ସହ ରାଜ ପ୍ରସାଦକୁ ଯାଇଥାଏ। ୧୪ଦିନ ଧରି ଦଇତାପତିମାନେ ଏହି ପଣାଭୋଗ ପ୍ରସ୍ତୁତ କରିଥାନ୍ତି। ଜଳଖିର, କର୍ପୁର, ଚିନି, ସର ଓ ବିଭିନ୍ନ ମସାଲାର ସମ୍ମିଶ୍ରଣରେ ଏହି ପଣାଭୋଗ ପ୍ରସ୍ତୁତ ହୋଇଥାଏ। ପଣା ପ୍ରସ୍ତୁତ ପରେ ଓଳିରେ ଏହା ବିଭିନ୍ନ ଘରକୁ ବଣ୍ଟା ଯାଇଥାଏ।ଦଇତାପତି ମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ପଣା ପୁର୍ବାହ୍ନରେ ପ୍ରସ୍ତୁତ କରିଥାନ୍ତି। ଗବେଷକଙ୍କ ମତରେ ଅଣସର ସମୟରେ ଶ୍ରୀଜୀଉମାନଙ୍କୁ ସମର୍ପଣ ଭାବର ସହ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତ୍ୟେକ ଏହି ସମୟରେ ସମର୍ପିତ ଭାବେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ରହିଥାଏ। ବର୍ଷର ଅନ୍ୟ ସମୟରେ ପୂଜାପଣ୍ଡା ସେବାୟତ ଭୋଗଲାଗି କରୁଥିବା ବେଳେ ଅଣସର ସମୟରେ ପତି ମହାପାତ୍ର ହିଁ ସମସ୍ତ ନୈବେଦ୍ୟ ସମର୍ପଣ କରିଥାନ୍ତି। ଅଣସରରେ ପ୍ରତ୍ୟେହ ଠାକୁରଙ୍କୁ ୧୪ବଡ଼ଓଳି ଓ ୧୪ସାନଓଳି ପଣା ଭୋଗ କରାଯାଇଥାଏ। ପଥି ଉପଚାରରେ ଏହି ପଣା ଭୋଗକୁ ନୈବେଦ୍ୟ ଭାବେ ବିବେଚନା କରାଯାଏ।

Leave a Reply

Your email address will not be published. Required fields are marked *