ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ ଆଇନ୍ ସଚେତନତା ଶିବିର

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ଆଇନ୍ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ ଏକ ଆଇନ୍ ସଚେତନତା ଶିବିର ଭଗବାନପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଅମୀୟ ରଂଜନ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ଜିଲା ଆଇନ୍ ସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାପାତ୍ର ଅଂଶଗ୍ରହଣ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଜନ୍ମେଜୟ ଦାସ, କନିଷ୍ଠ ଦେୱାନୀ ବିଚାରପତି ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକ ସମ୍ବନ୍ଧରେ ଉପସ୍ଥିତ ଥିବା ଅଣସଂଗଠିତ ଶ୍ରମିକମାନଙ୍କୁ ଅବଗତ କରାଇବା ସହ ଶ୍ରମପତ୍ର (ଲେବର କାର୍ଡର) ସୁବିଧା ବିଷୟରେ ଅବଗତ କରାଇଥିଲେ। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ଜେନା ନିଜ ବକ୍ତବ୍ୟରେ ଅଣସଂଗଠିତ ଶ୍ରମିକମାନଙ୍କର ବିଭିନ୍ନ ଅଧିକାର ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଶେଷରେ ଜିଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ମହାପାତ୍ର ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଆଇନ୍ର ସେବା ଓ ଆଇନ୍ ସେବା ପ୍ରାଧିକରଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *