ଅଟଳ ତୁମେ ବିଶାଳ ତୁମେ ସରଳ ତୁମେ ନିର୍ମଳ ତୁମେ ବିରଳ ସଦା ସଫଳ: ଖୋର୍ଦ୍ଧାରେ ସ୍ୱର୍ଗତ ବାଜପେୟୀଙ୍କୁ ସାମୂହିକ ଶ୍ରଦ୍ଧାଞ୍ଜଳି

ଖୋରଧା ୨୭-୮ (ଓଡ଼ିଆ ପୁଅ) : ଅଟଳ ତୁମେ ବିଶାଳ ତୁମେ କୋମଳ ତୁମେ ସରଳ ତୁମେ ନିର୍ମଳ ତୁମେ ଉଜ୍ଜ୍ୱଳ ତୁମେ ବିରଳ ସଦା ସଫଳ। ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ସଂଗୀତ ନିର୍ଦ୍ଦେଶକ ବ୍ରଜ କିଶୋର ସାହୁଙ୍କ ରଚିତ ଓ ନିର୍ଦ୍ଦେଶନାରେ ପରିବେଷିତ ଏହି ସ୍ୱାଗତ ସ୍ମୃତି ସଂଗୀତରେ ସ୍ଥାନୀୟ ବିଡିଏ କଲୋନୀ କଲ୍ୟାଣ ମଣ୍ଡପ ମୁଖରିତ ହୋଇପଡିଥିଲା। ଅଟଳ ବିହାରୀ ବାଜପେୟୀ ସ୍ମୃତି ସମାରୋହ ସମିତି ପକ୍ଷରୁ କାର୍ଯ୍ୟକ୍ରମ ସଂଯୋଜକ ସମାଜସେବୀ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାମୂହିକ ଶ୍ରଦ୍ଧାଞ୍ଜଳୀ ସଭାରେ ଜାତି, ଧର୍ମ, ବର୍ଣ୍ଣ, ଦଳମତ ନିର୍ବିଶେଷରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ସମିତିର ଆବାହକ ସୁବାସ ଗନ୍ତାୟତ ତାଙ୍କ ସ୍ୱାଗତ ଭାଷଣରେ କହିଲେ ୧୯୮୩ ମସିହାରେ ସ୍ୱର୍ଗତ ବାଜପେୟୀ ଖୋରଧା ଚାନ୍ଦବାଲି ପଡିଆରେ ସମବେତ ହଜାର ହଜାର ଖୋର୍ଦ୍ଧାବାସୀଙ୍କୁ ନିଜର ମନମୁଗ୍ଧକର ଭାଷଣରେ ଯେଉଁ ପ୍ରେରଣା ଦେଇଥିଲେ ତାହା କେବେ ବି ଭୁଲି ହେବ ନାହିଁ। ସେହି ଦିବଂଗତ ଜନନାୟକଙ୍କ ସ୍ମୃତି ସ୍ୱରୂପ ସେଠାରେ ଏକ ପ୍ରତିମୂର୍ତି ନିର୍ମାଣ କରିବା ଦିଗରେ ଖୋର୍ଦ୍ଧାବାସୀ ସମସ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ମେଜର୍ କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ପ୍ରାରମ୍ଭିକ ବକ୍ତବ୍ୟ ମାଧ୍ୟମରେ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ପରେ ପୂର୍ବତନ ମନ୍ତ୍ରୀ ତଥା ଜିଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ ଯୋଗଦେଇ ବାଜପେୟୀଙ୍କର ଓଡିଶା ପ୍ରତି ଅବଦାନ ଅତୁଳନୀୟ କହିବା ସହିତ ଜିଲାରେ ଏମ୍ସ ହସପିଟାଲ ପ୍ରତିଷ୍ଠା ଦିଗରେ ତାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା ବୋଲି ବର୍ଣ୍ଣନା କରିଥିଲେ। ଚିଲିକା ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ଯୋଗଦେଇ କହିଲେ ସ୍ୱର୍ଗତ ଅଟଳଜୀଙ୍କ ଭାଷଣ ଦେଶ ତଥା ଦେଶ ବାହାରେ କୋଟି କୋଟି ଲୋକଙ୍କର ହୃଦୟସ୍ପର୍ଶୀ ହୋଇପାରିଥିଲା। ଦେଶବାସୀଙ୍କୁ ଉତମ ଶାସନ ଦେବା ସହିତ ଦେଶକୁ ବିକାଶ ପଥରେ ଆଗେଇ ନେବାରେ ତାଙ୍କର ଭୂମିକା ଥିଲା ଅନନ୍ୟ। ବିଜେପି ରାଜ୍ୟ ସଂପାଦକ ଯତୀନ ମହାନ୍ତି ଜେଏନୟୁରେ ନିଜର ଛାତ୍ର ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ ଅନୁଭୂତି ପ୍ରକାଶ କରି କହିଲେ କେବଳ ପାର୍ଲ୍ୟାମେଂଟରେ ନୁହେଁ ବରଂ ବିଦେଶରେ ମଧ୍ୟ ସେ ଜଣେ ଲୋକପ୍ରିୟ ନେତା ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ବରିଷ୍ଠ ସାମ୍ବାଦିକ ତଥା କଂଗ୍ରେସର ରାଜ୍ୟ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ କହିଲେ ସ୍ୱର୍ଗତ ବାଜପେୟୀ ଜଣେ ନିର୍ବିବାଦୀୟ ନେତା ତଥା ରାଷ୍ଟ୍ରନାୟକ ଥିଲେ। ପ୍ରାକ୍ତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର କହିଲେ ଅଟଳଜୀ ଜଣେ ଅହଙ୍କାର ଶୂନ୍ୟ ରାଜନେତା ଥିଲେ। ସେ କ୍ଷମତାକୁ କେବଳ ଦେଶର ସେବା ପାଇଁ ଉପଯୋଗ କରୁଥିଲେ ଏବଂ ବ୍ୟକ୍ତିସ୍ୱାର୍ଥ ଠାରୁ ଉଦ୍ଧ୍ୱର୍ରେ ଥିଲେ। ଅଞ୍ଜୁମନ୍ ଇସ୍ଲାମିଆର ସଂପାଦକ ହାଜି ନାସିମୁଦ୍ଦିନ୍ ଖାନ୍ କହିଲେ ହିନ୍ଦୁ ଓ ମୁସଲିମ ସଂପ୍ରଦାୟ ମଧ୍ୟରେ ସର୍ବଦା ଭାଇଚାରା ଓ ସଦ୍ଭାବ ପାଇଁ ପ୍ରୟାସରତ ବାଜପେୟୀ ରାଜନୀତିରେ ମାନବିକତାକୁ ହିଁ ଶ୍ରେଷ୍ଠ ମାଧ୍ୟମ ରୂପେ ଗ୍ରହଣ କରିଥିଲେ। କଂଗ୍ରେସର ଯୁବ ନେତା ସଂଜୟ ପଟ୍ଟନାୟକ କହିଲେ ଦୀର୍ଘ ୬୫ ବର୍ଷର ସାଂସଦ ଜୀବନରେ ଅଟଳଜୀ ୫୬ ବର୍ଷ ବିରୋଧି ଦଳରେ ଥାଇ ମଧ୍ୟ ଦେଶର ବିକାଶରେ ସର୍ବଦା ତାଙ୍କର ସକ୍ରିୟ ଯୋଗଦାନ ରହୁଥିଲା। ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଯୋଗଦେଇ କହିଲେ ବାଜପେୟୀ ଜଣେ ଦୂରଦର୍ଶୀ, ପ୍ରବୀଣ ଓ ଅତୁଳନୀୟ ରାଜନେତା ଥିଲେ। ତାଙ୍କ ନେତୃତ୍ୱ ଯୋଗୁଁ ଆଜି ଏକ ଶକ୍ତ, ପ୍ରଗତିଶୀଳ ଓ ସର୍ବବ୍ୟାପି ଏକବିଁଶ ଶତାବ୍ଦୀର ଭାରତବର୍ଷ ଗଠନ ସମ୍ଭବ ହୋଇପାରିଛି।

ସେହିପରି ହିନ୍ଦୁ ଜାଗରଣ ସାମୁଖ୍ୟର ରାଜ୍ୟ ସଭାପତି ଅଜିତ୍ ପଟ୍ଟନାୟକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନଗର ସଂଘଚାଳକ କିଶୋର ଚନ୍ଦ୍ର ବରାଳ, ଗୀତା ଗବେଷଣା ପରିଷଦର ସଂପାଦକ ଶକ୍ତି ଶଙ୍କର ମିଶ୍ର, କଂଗ୍ରେସ ନେତ୍ରୀ ସ୍ୱାଗତିକା ପଟ୍ଟନାୟକ, ବିଜେପିର ପୂର୍ବତନ ଜିଲା ସଭାପତି ସନ୍ତୋଷ ଜେନା, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମୀ ରଂଜନ ମହାପାତ୍ର ଓ ନିକୁଞ୍ଜ ପଟ୍ଟନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀରଞ୍ଜନ ମଙ୍ଗରାଜ, କଂଗ୍ରେସ ବ୍ଲକ ସଭାପତି ପଦ୍ମ ଚରଣ ରାୟ, ଆଇନଜୀବି ପ୍ରଫୁଲ କୁମାର ମିଶ୍ର ଓ ଅଶୋକ ମହାପାତ୍ର, ଜିଲା ବ୍ରାହ୍ମଣ ମହାସଭାର ସଭାପତି ଜ୍ଞାନ ରଂଜନ ଦାଶ, ରାଷ୍ଟ୍ରୀୟ ଜଳ ବିରାଦ୍ରୀର ମାନସ ରଂଜନ ମିଶ୍ର, ନିଉ ଥିଙ୍କିଙ୍ଗ୍ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସଂପାଦକ ରାରେଶ ବାରିକ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦୁସ୍ମନ୍ତ ହରିଚନ୍ଦନ, ଶିକ୍ଷାବିତ୍ ଡ. ବୃନ୍ଦାବନ ପଣ୍ଡା ଓ ଭୀମସେନ ପ୍ରଧାନ, କଳିଙ୍ଗ ପାଇକ ସଂଗଠନର ସଂପାଦକ କୃଷ୍ଣ ଚନ୍ଦ୍ର ହରିଚନ୍ଦନ, ସାହିତ୍ୟିକ ସତ୍ୟବାଦୀ ବଳିୟାରସିଂହ, ବସନ୍ତ ଦାଶ, ନୃସିଂହ ମିଶ୍ର, ସୁବାସ ପାତ୍ର, ବଦ୍ରିନାଥ ପ୍ରସାଦ, ଭଗବାନ ଦଳବେହେରା, ମହେଶ ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଦେଇ ଅଟଳଜୀଙ୍କ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପତଞ୍ଜଳୀ ଯୋଗ ସମିତିର ଜିଲା ସଭାପତି ସୀତାକାନ୍ତ ପଣ୍ଡା, ବିଜେପି ଜିଲା ସଂପାଦକ ପ୍ରତାପ ମହାପାତ୍ର ଓ ଲୋତକ ବିନ୍ଦୁ ପଟ୍ଟନାୟକ, ଯୁବ କଂଗ୍ରେସ ନେତା ମହମ୍ମଦ ଆରିଫ୍, ଗାୟତ୍ରୀ ପରିବାରର ପ୍ରମୋଦ ପୃଷ୍ଟି, ଯୁବ ନେତା ରାମନାରାୟଣ ଦାଶ, ବିଶ୍ୱଜିତ ସ୍ୱାଇଁ, ନିଗମାନନ୍ଦ ଦାସ, ସଂଜୟ ଦାଶ, ଜବାହାର ସୁବୁଦ୍ଧି, ଲକ୍ଷ୍ମୀପ୍ରସାଦ ସାହୁ, ନରହରି ନନ୍ଦ, କେଦାରନାଥ ପାତ୍ର, ଜୟନ୍ତ ସାହୁ, ମିହିର ବିଧାର, ଗୋଲକ ହାତୀ, ବଦ୍ରି ନାରାୟଣ ଦାଶ, ମେନକା ପଣ୍ଡା, ଶ୍ରୀଧର ଦାସଙ୍କ ସମେତ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି, ଲେଖକ, ଶିକ୍ଷାବିତ୍, ସମାଜସେବୀ, ବୁଦ୍ଧିଜୀବି, ଗାଳ୍ପିକ, ସାହିତ୍ୟିକ, ବିଭିନ୍ନ ସଂଘ ଏବଂ ଖୋର୍ଦ୍ଧାରେ ଗଢି ଉଠିଥିବା ସମସ୍ତ ଅନୁଷ୍ଠାନ ତଥା ସଂଗଠନ ପକ୍ଷରୁ ଶହଶହ ଅଟଳପ୍ରେମୀ ଯୋଗଦେଇ ସେମାନଙ୍କର ଶ୍ରଦ୍ଧା ସୂମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜେପିର ପୂର୍ବତନ ଜିଲା ସଭାପତି ଅଜୟ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। ପୂର୍ବାହ୍ନରେ ଅଟଳଜୀଙ୍କ ଫଟୋ ଓ ବାର୍ତ୍ତାକୁ ନେଇ ଏକ ସୁସଜ୍ଜିତ ରଥ ଦିନ ତମାମ୍ ସହର ପରିକ୍ରମା କରିବା ସହିତ ସହରର ଭିନ୍ନ ଭିନ୍ନ ସ୍ଥାନରେ ଖୋର୍ଦ୍ଧାବାସୀଙ୍କ ତରଫରୁ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *