ଅଞ୍ଜଳି ଦେହୁରୀ ହତ୍ୟାକାରୀକୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାକୁ ବି.ଏଡ୍. ଶିକ୍ଷା ସହାୟକ ସଂଘର ଦାବି

ଭୁବନେଶ୍ୱର, ତା ୬ା୧ (ଓଡ଼ିଆ ପୁଅ)  : ବି.ଏଡ୍ ଶିକ୍ଷା ସହାୟକ ସଂଘ, ଓଡ଼ିଶା ତରଫରୁ ଆହୂତ ଏକ ଜରୁରୀକାଳୀନ ବୈଠକରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ, ବଡ଼ପୋଖରୀଆ, ହରିପୁର ଅନ୍ତର୍ଗତ ଉଗ୍ରତାରା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କ ସ୍ପଷ୍ଟ ଦିବାଲୋକରେ ପିଟି ପିଟି ହତ୍ୟାକରାଯିବା ଘଟଣାରେ ବି.ଏଡ୍. ଶିକ୍ଷା ସହାୟକ ସଂଘ, ଓଡ଼ିଶା ତରଫରୁ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକସଭା କରାଯାଇଥିଲା। ଶିକ୍ଷା ସହାୟକ/ସହାୟିକାମାନଙ୍କୁ କମ୍ ଦରମାରେ ଦୂରଦୂରାନ୍ତରେ ନିୟୋଜିତ କରାଯିବା ସହ ବାରମ୍ବାର ଇତିଶ୍ରୀ ହତ୍ୟାକାଣ୍ଡ ପରି ହତ୍ୟାକାଣ୍ଡର ପୁନରାବୃତ୍ତି ଘଟୁଥିବାରୁ ସଂଘର କର୍ମକର୍ତ୍ତାମାନେ ଘୋର ଉଦ୍ବେଗ ପ୍ରକାଶ କରିବା ସହ ଅପରାଧିକୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସହ ପରିବାରକୁ ଅନୁକମ୍ପା ମୂଳକ ୧୦ ଲକ୍ଷ ଟଙ୍କା ପ୍ରଦାନ ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀରେ ଅବସ୍ଥାପିତ କରିବା ପାଇଁ ସଂଘ ତରଫରୁ ଦୃଢ ଦାବି ଉପସ୍ଥାପନ କରାଯାଇଛି। ସରକାର ଶିକ୍ଷା ଅଧିକାରୀ ୨୦୦୯ ଏବଂ ରାଜ୍ୟ ଶିକ୍ଷାନୀତି ୨୦୧୦ ସଠିକ୍ ଭାବରେ କାର୍ଯ୍ୟକାରୀ ନକରିବା, ଯାତାୟତର ସୁବିଧା ନଥିବା ସ୍ଥାନମାନଙ୍କରେ ଶିକ୍ଷା ସହାୟକ/ସହାୟିକାମାନଙ୍କୁ ନିଯୁକ୍ତି ଦେବା, ୨୦୧୧ରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକମାନଙ୍କୁ ସମୟ ଅତିକ୍ରାନ୍ତ ସତ୍ତ୍ୱେ ଟିଜିଟି ଏବଂ +୨ ସି.ଟି. ପଦବୀରେ ଏଯାବତ୍ ନିୟମିତ ନକରିବା ଆଦିକୁ ସଂଘ ତରଫରୁ ଘୋର ନିନ୍ଦା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଉନ୍ନତି ଏବଂ ଅନ୍ୟ ବର୍ଗର ଚାକିରୀଆମାନଙ୍କୁ ପଦୋନ୍ନତି ସହ ଉପଯୁକ୍ତ ବେତନ ଦିଆଯାଉଥିବା ସ୍ଥଳେ ଶିକ୍ଷକମାନଙ୍କୁ ଦିନ ମଜୁରିଆଠାରୁ କମ୍ ଦରମା ଦେଇ ନିଷ୍ପେଷିତ କରାଯାଉଛି, ଯାହାକି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ “ସମାନ କାମ ସହ ସମାନ ଯୋଗ୍ୟତାଧାରୀଙ୍କୁ ସମାନ ଦରମା” ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି। ସରକାର ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ କେସ ନଂ- ଡବ୍ଲ୍ୟୁ.ପି (ସି) ୧୩୬୧/୨୦୧୦, ଡବ୍ଲ୍ୟୁ.ପି (ସି) ୧୭୬୨/୨୦୧୦ ଆଦି ବ୍ୟାଚ୍ କେସ୍ ର ଶୁଣାଣି କରି ୨୦୧୧ମସିହାଠାରୁ ଟିଜିଟି ଏବଂ +୨ ସି.ଟି. ପଦବୀରେ ପୃଥକ ନିଯୁକ୍ତି ଦେଇଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ନ ଦେବା ଆଦିକୁ ରାଜ୍ୟ ସଂଘ ତରଫରୁ ସଭାପତି ଅଜୟ କୁମାର ଧଳ, ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ଲେଙ୍କା, କାର୍ଯ୍ୟକାରୀ ସଭାପତି ଦୁର୍ଯେ୍ୟାଧନ ଦାସ, ମହାସଚିବ ଉମେଶ ଚନ୍ଦ୍ର ନାୟକ, ରାଜ୍ୟ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ଖଟୁଆ, ସରୋଜ କୁମାର ପଣ୍ଡା, ପବିତ୍ର ବେହୁରା, ଲଲାଟେନ୍ଦୁ ମହଲ, ଅର୍ଚ୍ଚନା ଜେନା, ମକରକେତନ ସାହୁ, ଅଲେଖ ଦାସ, ସନ୍ତୋଷ କୁମାର ଦାସ, ସମ୍ପଦ କୁମାର, ନୃସିଂହ ଚରଣ ସାହୁ, କ୍ଷୀରୋଦ ଚନ୍ଦ୍ର ସ୍ୱାଇଁ, ଜଗଦିଶ ବେହେରା, ଅଜୟ ବିଶ୍ୱାଳ ପ୍ରମୁଖ ଦୃଢ ବିଶୋଦଗାର କରିଛନ୍ତି ଓ ସରକାର ବିହିତ ପଦକ୍ଷେପ ନେବାକୁ ତ୍ୱରାନ୍ୱିତ ନକଲେ ଆଗାମୀ ଦିନରେ ମିଳିତ ବି.ଏଡ୍ ଶିକ୍ଷକ ମହାସଂଘ ଆନୁକୂଲ୍ୟରେ ଏକ ବିରାଟ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ସଂଘ ତରଫରୁ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *