ଅଞ୍ଚଳବାସୀଙ୍କୁ ପ୍ରତାରଣା କରୁଛନ୍ତି ଧାମରା ବନ୍ଦର କର୍ତ୍ତୃପକ୍ଷ!

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମରା ବନ୍ଦରରେ ଚାଲିଛି ରାତି ଅଧିଆ ନିଷ୍ପତ୍ତି। କେଉଁଠି ଚୋରା କୋଇଲାକୁ ନେଇ ସ୍ଥାନୀୟ ଲୋକଙ୍କ ନାମରେ ମାମଲା ତ ଆଉ କେଉଁଠି ସେଇ କୋଇଲା ଠିକାଦାରଙ୍କୁ ରାତି ଅଧିଆ ବିକ୍ରି ହେଉଥିବା ସଂପର୍କରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି। ଧାମରା ବନ୍ଦର ଅଧିକାରୀ ଜିଲାରେ ଶିଳ୍ପ ବିପ୍ଲବ ଆଣିବା ସହ ସ୍ଥାନୀୟ ୮ଟି ପଞ୍ଚାୟତରେ ଥିବା ରାସ୍ତାଘାଟ, ବିଦ୍ୟୁତ, ପାନୀୟ ଜଳ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରୟାସ ଜାରି ରଖିଥିବା କହିଥିଲେ। ଖାଲି ସେତିକି ନୁହେଁ, ଦୋସିଙ୍ଗା, କଇଥଖୋଲା, ଜାଗୁଳା, ଧାମରା, ବାଂଶଡା, କରଞ୍ଜମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରି ଆଦି ପଞ୍ଚାୟତରେ ସମସ୍ତ ଉତ୍ତରୋତ୍ତର ଉନ୍ନତି ପାଇଁ ବଦ୍ଧପରିକର ବୋଲି ଗତ ଏପ୍ରିଲ ୧୧ ତାରିଖରେ ହୋଇଥିବା ଜନଶୁଣାଣି ଶିବିରରେ ଧାମରା ବନ୍ଦର ଅଧିକାରୀ କହିବା ସହ ସ୍ଥାନୀୟ ଲୋକଙ୍କ ନାମରେ ଥିବା ମିଥ୍ୟା ମୋକଦ୍ଦମାଗୁଡିକ ପ୍ରତ୍ୟାହାର କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଏଥିସହ ଧାମରା ବନ୍ଦର ତରଫରୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଧାମରା ବନ୍ଦରରେ ନିଯୁକ୍ତି ଦେବେ ବୋଲି ମଧ୍ୟ ନିଷ୍ପତି ନେଇଥିଲେ। ପ୍ରାଥମିକ ସ୍ତରରେ ଧାମରା ବନ୍ଦର ଏପ୍ରିଲ ମାସ ଶେଷ ସୁଦ୍ଧା ସ୍କିଲ ଡେଭେଲେପମେଣ୍ଟ ଯୋଜନାରେ ବେକାର ଯୁବକ ଯୁବତୀଙ୍କୁ କୁଶଳୀ କରି ନିଯୁକ୍ତି ଦେବା କଥା ମଧ୍ୟ ଦୋହରାଇଥିଲେ। ଇତି ମଧ୍ୟରେ ୩ ମାସ ବିତି ଯାଇଥିଲେ ମଧ୍ୟ ଧାମରା ବନ୍ଦର କର୍ତ୍ତୃପକ୍ଷ କେବଳ ନିଜର ମୁନାଫା କମାଇବାରେ ବ୍ୟସ୍ତ ରହିଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ବଦଳରେ ବନ୍ଦରର ଶ୍ରମିକମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉଛି। ଅପରପକ୍ଷରେ ଆଦାନୀ କର୍ତ୍ତୃପକ୍ଷ ଆରମ୍ଭ କରିଥିବା ସ୍କିଲ ଡେଭେଲେପମେଣ୍ଟ କେନ୍ଦ୍ରର ନିର୍ମାଣ କାମ ସରିବା ନାଁ ଧରୁନାହିଁ। ଏହାକୁ ନେଇ ଚାନ୍ଦବାଲି ବିଧାୟକ ପ୍ରଶ୍ନ ଉଠାଇଛନ୍ତି। ଜନଶୁଣାଣିର ୩ ମାସ ବିତି ଯାଇଥିବା ବେଳେ ସଂପ୍ରତି ବନ୍ଦର କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତିକୁ ସଂପୂର୍ଣ ବନ୍ଦ କରି ଦେଇଛନ୍ତି ବୋଲି ସ୍ଥାନୀୟ ବିଧାୟକଙ୍କ ସମେତ ରାଜ୍ୟ ସରକାରଙ୍କ ପାଖରେ ଅଭିଯୋଗ ହୋଇଛି। ତେବେ କଂପାନୀର ଏଭଳି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବିଧାୟକ ରୋକଠୋକ କଂପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *