ଅଜଣା ରୋଗରେ ତିନି ସନ୍ତାନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରାଉରକେଲା ୨-୧୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦଇବ ସାଧିଲା ଦାଉ। ବିବାହ କରି ସ୍ତ୍ରୀ ଓ ପିଲାମାନଙ୍କ ସହ ଖୁସିରେ ସଂସାର କରିବାକୁ ସ୍ୱପ୍ନ ଦେଖିଥିଲେ ଭୁଗଦେବ ମାଝୀ। ହେଲେ ବିବାହ ପରେ ତାଙ୍କୁ ଏମତି ଭୋଗିବାକୁ ହେବ ବୋଲି କିଏ ଜାଣିଥିଲା। ତାଙ୍କ ୩ ସନ୍ତାନ ଅଜଣା ରୋଗରେ। ଚିକିତ୍ସା ପାଇଁ ହାତରେ କିଛି ନାହିଁ। ଭାଳେନିରେ ପଡିଛନ୍ତି ଗରିବ ଦମ୍ପତି। ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ କୁଲାବିରା ପଂଚାୟତ ତିଲପଡା ଗାଁର ଗରୀବ ଆଦିବାସୀ ଭୁଗଦେବ। ମୂଲ ଲାଗି ସେ ତାଙ୍କର ତେଲ ଲୁଣ ସଂସାର ଚଳାଇଥାନ୍ତି। ଘରେ ସ୍ତ୍ରୀ ସୁଷମା ଓ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ସଂସାର। ବଡ ଝିଅ ସୁନିତା, ସାନ ଝିଅ ସୁମିତା, ଓ ପୁଅ ଗୌରାଙ୍ଗ। ହସ ଖୁସିରେ ଚାଲିଥିବା ସଂସାରରେ ଏକ ଅଜଣା ରୋଗରେ ପୁଅ ଝିଅ ଆକ୍ରାନ୍ତ ହେବାରୁ ସେମାନଙ୍କ ହସଖୁସିରେ ଭଟ୍ଟା ପଡି ଯାଇଛି। ବଡ ଝିଅର ଆଖି ଡୋଳା ବାହାରକୁ ବାହାରି ଯିବା ବେଳେ ସାନ ଝିଅ ଓ ପୁଅର ଆଖି ଡୋଳା ସହ ଗୋଡ, ହାତ ଫାଟି ଯାଉଛି। ସେମାନଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିବା ବାଧକ ହୋଇ ପଡିଛି। ତଥାପି ସୁନ୍ଦରଗଡ, ବୁର୍ଲା, ଏବଂ ଭୁବନେଶ୍ୱର ନେଇ ଭୁଗଦେବ ସେମାନଙ୍କୁ ଚିକିତ୍ସା କରିଥିଲେ ବି ରୋଗ ଚିହ୍ନଟ ହୋଇ ପାରିନି। ପିଲାଙ୍କ ପାଠ ପଢା ପ୍ରତି ଆଗ୍ରହ ଥିଲେ ବି ରୋଗ ଯୋଗୁ ସେମାନେ ସ୍କୁଲକୁ ଯାଇ ପାରୁନାହାନ୍ତି। ପିଲାଙ୍କ ଏଭଳି ଅବସ୍ଥା ସହ ଆର୍ଥିକ ଅନାଟନ ଯୋଗୁ ଭୁବଦେବ ଓ ସୁଷମା ଏକ ପ୍ରକାରର ଭାଙ୍ଗି ପଡିଛନ୍ତି। ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ। ଅପରପକ୍ଷରେ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ଆର୍ଥିକ ସହାୟତା ମିଳୁନି। ଏଣୁ ପିଲାମାନଙ୍କ ଆଶୁ ଚିକିତ୍ସା ପାଇଁ କୌଣସି ସଙ୍ଗଠନ କିମ୍ବା ବଦ୍ୟାନ୍ୟ ବ୍ୟକ୍ତି ସହଯୋଗ ରାଶି ପ୍ରଦାନ କରିବାକୁ ପରିବାରବର୍ଗ ଆକୁଳ ନିବଦେନ କରିଛନ୍ତି।

Leave a Reply

Your email address will not be published. Required fields are marked *