ରାଉରକେଲା ୨୭-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର) : ରାଉରକେଲାରେ ଆଜି ଅପରାହ୍ନରେ ଘଟିଥିଲା ଏକ ଅଘଟଣ। ସିଭିଟାଉନସିପ ଭେଷଜ ପଟେଲ ହସ୍ପିଟାଲ ନିକଟରେ ଥିବା ୭୦ ଫୁଟ ଉଚ୍ଚତାର ୯ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ଅଚାନକ ପ୍ରଚଣ୍ଡ ଶଦ୍ଦ ସୃଷ୍ଟି କରି ଫାଟି ଯାଇଥିଲା। ପ୍ରବଳ ବେଗରେ ଟାଙ୍କି ମଧ୍ୟରେ ଥିବା ପାଣି ନିକଟରେ ଥିବା ୱେସ୍କୋ କାର୍ଯ୍ୟାଳୟରେ ପଶି ଯିବାରୁ କାର୍ଯ୍ୟାଳୟର କାନ୍ଥ ଭାଙ୍ଗିବା ସହିତ ଅଫିସ ମଧ୍ୟରେ ଥିବା ସମସ୍ତ ଫାଇଲ ଓ କାଗଜ ପତ୍ର ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଜ୍ୟୋସ୍ନା ନାମକ ମହିଳା ଓ ଅନ୍ୟ ଜଣେ ଆହତ ହୋଇଥିଲେ ସୁଦ୍ଧା, ମୃତ୍ୟୁମୁଖରୁ ନିକଟରେ ଥିବା ଲୋକେ ଅଳ୍ପକେ ବର୍ତି ଯାଇଛନ୍ତି। ଏହି ପାଣିଟାଙ୍କି ପିଏଚଡ଼ି ବିଭାଗ ପକ୍ଷରୁ ୧୯୭୫ ମସିହାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା। ବିଭାଗର ଅବହେଳା ଯୋଗୁ ଏହା ଭୁଷୁଡ଼ି ପଡ଼ିଲା ବୋଲି ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଅଭିଯୋଗ କରିଛନ୍ତି। ସରକାରଙ୍କ ଅବହେଳା ଏଥିପାଇଁ ସମୂର୍ଣ୍ଣ ଭାବେ ଦାୟୀ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ପାଣିଟାଙ୍କି ଫାଟିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ପାଣିଟାଙ୍କି ଭାଙ୍ଗିବା ପରେ ସ୍ଥାନୀୟ ଲୋକେ ପାଣି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି।
