ଜିଲ୍ଲା ପରିକ୍ରମା

ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ କର୍ମୀଙ୍କର ଅନିୟମିତତାକୁ ବିରୋଧ କରି ଧାରଣାରେ ବସିଲେ ଅଭିଭାବକ

ରେମୁଣା, ବାଲେଶ୍ୱର, ୧୩/୦୩ (ଓଡ଼ିଆ ପୁଅ/ ଭଗବାନ ଦାସ)- ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କ ମଧୁଚନ୍ଦି୍ରକାରେ ଅତିଷ୍ଠ ହୋଇ ଅଭିଭାବକ ମାନେ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ। ଅଭିଭାବକ ମାନେ କର୍ମୀ ଓ ସୁପରଭାଇଜରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରି ଧାରଣାରେ ବସିଥିବା ବେଳେ କର୍ମୀ ଦିନ ୧୨ଟାରେ କେନ୍ଦ୍ର ବନ୍ଦ କରି ଘରକୁ ପଳାଇଥିଲେ। ଅଭିଭାବକ ମାନେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ ମଧ୍ୟ କୌଣସି ଉପରିସ୍ଥ ଅଧିକାରୀ ଘଟଣା ସ୍ଥଳରେ ନ ପହଞ୍ଚିବାରୁ କେନ୍ଦ୍ର ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ରେମୁଣା ବ୍ଲକ ମହାରାଜପୁର ପଞ୍ଚାୟତର ଦହିଗଡ଼ିଆ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି। ଅଭିଭାବକଙ୍କ ଅଭିଯୋଗ ଅନୁସାରେ କେନ୍ଦ୍ରରେ କର୍ମୀ ସାବିତ୍ରୀ ବାରିକଙ୍କ ନିର୍ଦ୍ଦେଶରେ ନିମ୍ନ ମାନର ତେଲରେ ନିମ୍ନମାନର ଖାଦ୍ୟ ରୋଷେଇ କରାଯାଇ ପିଲାମାନଙ୍କୁ ଦିଆଯାଉଛି। ପ୍ରସୁତି ଓ ଗର୍ଭବତୀ ମହିଳାଙ୍କୁ ୬ଟି ଅଣ୍ଡା ଦେଇ ୮ଟି ଅଣ୍ଡା ଦେଇଥିବାର ଦସ୍ତଖତ ନେଉଥିଲେ। କେନ୍ଦ୍ରରେ ଯାଞ୍ଚ କମିଟିର ବୈଠକ ଦୀର୍ଘଦିନ ଧରି ନ ବସିବା, ନିଜସ୍ୱ କେନ୍ଦ୍ର ଥିଲେ ମଧ୍ୟ ଚାଉଳ କେନ୍ଦ୍ରରେ ନରଖି ଘରେ ରଖି କମିଟିକୁ ହିସାବ ନଦେବା, କର୍ମୀଙ୍କ ଜିଦ ଯୋଗୁଁ ଦୀର୍ଘ ଅଢେଇ ମାସ ଧରି ଅଣ୍ଡା ନମିଳିବା ଭଳି ସଙ୍ଗିନ ଅଭିଯୋଗ ଆଣି ଗ୍ରାମର କାଜଲ ନାୟକ, ଉର୍ମିଳା ପାଢୀ, ସୁକାନ୍ତି ନାୟକ, ସୁମିତ୍ରା ଜେନା, ମମତା ଜେନା, ତିଳୋତ୍ତମା ସେଠୀ, ହରେନ୍ଦ୍ର ନାୟକ, ଭଗବାନ ସ, କେଶବ ନାୟକ, ଗଙ୍ଗାଧର ମହାପାତ୍ର, ୱାର୍ଡ଼ ସଭ୍ୟ ଦମୟନ୍ତି ନାୟକ, ପ୍ରଫୁଲ୍ଲ ନାୟକ, ବିଜୟ ସେଠୀ ପ୍ରମୁଖ ଧାରଣାରେ ବସିଥିଲେ। ଧାରଣା କାରୀ ସିଧାସଳଖ ଭାବେ କେନ୍ଦ୍ର କର୍ମୀ ଓ ସୁପର ଭାଇଜର ମିଳିତ ଭାବେ କେନ୍ଦ୍ରକୁ ଆସୁଥିବା ସମସ୍ତ ଖାଦ୍ୟକୁ ଲୁଟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏପରିକି କିଛି ଦିନ ଆଗରୁ ଅଣ୍ଡା ଦିଆକୁ କେନ୍ଦ୍ର କରି କର୍ମୀ ଓ ହିତାଧିକାରୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ସୁପରଭାଇଜର ଅନ୍ୟ କର୍ମୀଙ୍କ ମଧ୍ୟସ୍ଥତାରେ ସମାଧାନ କରିଥିଲେ। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସିଡ଼ିପିଓଙ୍କ କାର୍ଯ୍ୟଳୟ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ରେମୁଣା ସିଡ଼ିପିଓ କଳ୍ପିତା ପଟ୍ଟନାୟକ ଙ୍କୁ ଯୋଗାଯୋଗ କରିବାରେ ତାଙ୍କ ଦେହ ଖରାପ ଥିବାର ଜଣାପଡ଼ି ଥିଲା। ସୁପରଭାଇଜର ଦୟାମଣୀ ମଲ୍ଲିକଙ୍କୁ ପଚାରିବାରୁ ସେ କେନ୍ଦ୍ର ଗଲେ କହିବେ ବୋଲି କହିଥିଲେ। କର୍ମୀ ସାବିତ୍ରୀ ବାରିକ ଅଭିଯୋଗକୁ ଖଣ୍ଡନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top