ଓଡ଼ିଶା

ଅଙ୍ଗନୱାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାଙ୍କୁ ୱାର୍କର ମାନ୍ୟତା ଦାବିରେ ଓ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ଦାବିରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ

ଭୁବନେଶ୍ୱର, ତା ୦୯.୦୭.୨୦୧୮ (ଓଡ଼ିଆ ପୁଅ) :– ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତି ମହିଳା ତଥା ଶିଶୁର ବିକାଶ ନିମନ୍ତେ ରାଜ୍ୟରେ ହଜାର ହଜାର ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବନିମ୍ନ ସୁବିଧାରୁ ବଞ୍ଚିତ କରି ରଖିଛନ୍ତି। କେନ୍ଦ୍ରରେ ବିଜେପି ନେତୃତ୍ୱରେ କ୍ଷମତାକୁ ଆସିବା ପରେ ଦେଶରେ ଚାଲୁଥିବା ବିଭିନ୍ନ ଯୋଜନା ଉପରେ ଲଗାତର ଆକ୍ରମଣ କରିଚାଲିଛନ୍ତି। ବାରମ୍ବାର ବଜେଟ୍ ହ୍ରାସ କରି ଯୋଜନାକୁ ପଙ୍ଗୁ କରିବା ସହ ଘରୋଇକରଣ କରିବାପାଇଁ ଉଦ୍ୟମ କରୁଛନ୍ତି। ଗତ ଅକ୍ଟୋବର ମାସରେ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଅନୁଷ୍ଠିତ ଦିବାରାତ୍ର ଧାରଣା ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଇ ହଜାର ଟଙ୍କା ଭତ୍ତା ବୃଦ୍ଧି, ଅନ୍ୟାନ୍ୟ ଦାବି ଘୋଷଣା କରିଥିଲେ। ଘୋଷିତ ଭତ୍ତାବୃଦ୍ଧି ନିମନ୍ତେ ବିଭାଗୀୟ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲେ ମଧ୍ୟ ଅନ୍ୟାନ୍ୟ ଦାବିଗୁଡ଼ିକ ଉପରେ କୌଣସି ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ। ଯେଉଁ ଦାବିଗୁଡ଼ିକ ଉପରେ ସହମତି ହୋଇଥିଲା, ସେଗୁଡ଼ିକ ହେଲା ୬୦ ବର୍ଷ ବୟସ ପରିବର୍ତ୍ତେ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି, ଏସ୍.ଏନ୍.ପି.ର ଦର ସଂଶୋଧନ, ପ୍ରକଳ୍ପ ବୈଠକ, ଗ୍ରୀଷ୍ମକାଳୀନ ଛୁଟି, ସୁପରଭାଇଜର ପଦୋନ୍ନତି ୫୦%କୁ ବୃଦ୍ଧି, ସହାୟିକାମାନଙ୍କୁ ଅଙ୍ଗନୱାଡ଼ି କର୍ମୀ ଭାବେ ନିଯୁକ୍ତି ପାଇଁ ଅଭିଜ୍ଞତା ସମୟସୀମା କୋହଳ, ମିଳିତ ଜମାଖାତାରୁ ୱାର୍ଡ଼ମେମ୍ବର, କର୍ପୋରେଟରମାନଙ୍କୁ ବାଦ୍ଦେବା ଇତ୍ୟାଦି। ରାଜ୍ୟ ସରକାର ବିଭିନ୍ନ ଆଇନସିଦ୍ଧ ସମସ୍ୟା ସମାଧାନ କରିନାହାନ୍ତି। ୨୦୦୧ ମସିହାରୁ ପାର୍ଲିଆମେଣ୍ଟ୍ ଷ୍ଟାଣ୍ଡିଂ କମିଟି ସୁପାରିଶ୍ ଯଥା ଏ.ଏନ୍.ଏମ୍. ପଦବୀକୁ ପଦୋନ୍ନତି, ପ୍ରାଥମିକ ଶିକ୍ଷକ ଓ ଅନ୍ୟାନ୍ୟ ଗ୍ରାମ୍ୟସ୍ତରୀୟ ସରକାରୀ ପଦବୀକୁ ପଦୋନ୍ନତି ପାଇଁ କୋଟା ଧାର୍ଯ୍ୟ କରିବା ନିମନ୍ତେ ନିର୍ଦ୍ଦେଶ ଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଗଲା ନାହିଁ, ୨୦୦୮ ମସିହାରୁ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରୁ ଶତକଡ଼ା ୩୦ ଭାଗ ବରିଷ୍ଠତା ଏବଂ ଯୋଗ୍ୟତା ଭିତ୍ତିରେ ସୁପରଭାଇଜ୍ରକୁ ପଦୋନ୍ନତିକୁ ଗତ ୨୦୧୬ ମସିହାରେ ସଂଶୋଧନ କରି ଚୁକ୍ତିଭିତ୍ତିକ ଭାବେ ପଦୋନ୍ନତି କରାଯାଇ ପ୍ରଦତ୍ତ ଅଧିକାରକୁ ଛଡ଼ାଇ ନିଆଯାଇଛି। ମାନ୍ୟବର ସୁପ୍ରିମ କୋର୍ଟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସର୍କୁଲାର ଆଜି ଶୀତଳଭଣ୍ଡାରରେ। ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କ ଉପରେ ଦୈନନ୍ଦିନ ରାଜନୈତିକ ଓ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବଢ଼ି ଚାଲିଛି। ସାମାନ୍ୟ ଘଟଣାରେ ଦରମା ବନ୍ଦ ଆଜି ନିତିଦିନିଆ ଘଟଣା। କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଯଥା: ଇ.ଏସ୍.ଆଇ., ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରାଯାଇନାହିଁ। ଜାତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ତମ ସୁପାରିଶ୍ ଅନୁସାରେ ଅଙ୍ଗନୱାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାଙ୍କୁ ୱାର୍କର ମାନ୍ୟତା କାର୍ଯ୍ୟକାରୀ କରିନାହାନ୍ତି। ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିଲେ ମଧ୍ୟ ଭତ୍ତାବୃଦ୍ଧି ନ କରି ଏହି କର୍ମଜୀବି ମହିଳାମାନଙ୍କର ଶ୍ରମ ଶୋଷଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଅଙ୍ଗନୱାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାଙ୍କୁ ସରକାରୀ ମାନ୍ୟତା, ସର୍ବନିମ୍ନ ଭତ୍ତା ମାସିକ ଟ. ୧୮, ୦୦୦/-, ସର୍ବନିମ୍ନ ପେନସନ୍ ଟ. ୩, ୦୦୦/-, ଯୋଜନାର ସ୍ଥାୟୀକରଣ ଏବଂ ଘରୋଇକରଣ ବନ୍ଦ ସମ୍ବଳିତ ଦାବି ମହାମହିମ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପନ କରାଯାଇଛି। ସେହିଭଳି ଗତ ଅକ୍ଟୋବର ୧୭ରେ ସରକାର ସହମତି ହୋଇଥିବା ବିଷୟ ଉପରେ ତୁରନ୍ତ ନିର୍ଦ୍ଦେଶନାମା ପ୍ରଦାନ, କେନ୍ଦ୍ର ସରକାରଙ୍କ ସୁପାରିଶ୍ ଅନୁସାରେ ଏ.ଏନ୍.ଏମ୍. ପଦବୀକୁ ପଦୋନ୍ନତି, ପ୍ରାଥମିକ ଶିକ୍ଷକ ଓ ଅନ୍ୟାନ୍ୟ ଗ୍ରାମ୍ୟସ୍ତରୀୟ ସରକାରୀ ପଦବୀକୁ ପଦୋନ୍ନତି ପାଇଁ କୋଟା ଧାର୍ଯ୍ୟ, ଯୋଜନାର ସଫଳତା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଗଠନ, ବୀମା ଯୋଜନାର ଆବଶ୍ୟକ ସଂଶୋଧନ ସହ ସଫଳ ରୂପାୟନ, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ କର୍ମୀ ପାଉଥିବା ଭତ୍ତା ଓ ଅନ୍ୟାନ୍ୟ ସୁଯୋଗ ପ୍ରଦାନ, ଛଅ ପ୍ୟାକେଜ୍ ବ୍ୟତିତ ଅନ୍ୟାନ୍ୟ କାର୍ଯ୍ୟରେ କର୍ମୀଙ୍କୁ ନିୟୋଜିତ ନକରିବା, କର୍ମୀ ସହାୟିକା ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାସ୍ତରୀୟ କମିଟି ପୁନର୍ଗଠନ, ଗାଁ କଲ୍ୟାଣ ସମିତିରେ ଅଙ୍ଗନୱାଡ଼ି କର୍ମୀଙ୍କୁ ବାଦ୍ଦେବା ଇତ୍ୟାଦି ବିଷୟରେ ଓଡ଼ିଶାର ମାନ୍ୟବର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲଙ୍କଠାରେ ଦାବିପତ୍ର ଉପସ୍ଥାପନ କରାଯାଇଛି। ଏହା ପୂର୍ବରୁ ପୂର୍ବାହ୍ନ ୧୧ଟାରେ ରେଳଷ୍ଟେସନ୍ରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରି ଲୋୟର ପି.ଏମ୍.ଜି.ଠାରେ ପହଞ୍ଚିବା ପରେ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଞ୍ଜୁକ୍ତ ମୋର୍ଚ୍ଚାର ଆବାହକ ଶ୍ରୀ ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ସମାବେଶରେ ସି.ପି.ଆଇ. ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଏ.ଆଇ.ଟି.ୟୁ.ସି. ରାଜ୍ୟ ସାଧାରଣ ସମ୍ପାଦକ ଡଃ ସୌରୀବନ୍ଧୁ କର, ସି.ଆଇ.ଟି.ୟୁ. ର ରାଜ୍ୟ ସଭାପତି ଲମ୍ବୋଦର ନାୟକ, ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ଆବାହକ ଶ୍ରୀ ପ୍ରଶାନ୍ତ ପାଢ଼ୀ, ଓଡ଼ିଶା ଅଙ୍ଗନୱାଡ଼ି ୱାର୍କରସ୍ ଆଣ୍ଡ୍ ହେଲପର୍ ଆସୋସିଏସନ୍ର ସଭାପତି ରାଧାରମଣ ଷଡ଼ଙ୍ଗୀ, ଏ.ଆଇ.ଟି.ୟୁ.ସି. ର ସୁର ଜେନା, ଜୟନ୍ତ ଦାସ, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ପ୍ରତିଭା ପାଲ୍, ବିଷ୍ଣୁପ୍ରିୟା ଜେନା, ମମତାଜ୍ ଖୁଣ୍ଟିଆ, ପ୍ରତିଭା ପରିଡ଼ା, ରଶ୍ମି ମହାନ୍ତି, ନିର୍ଝରବାଳା ସାହୁ, ସୌଦାମିନୀ ଦାସ, ମଳୟ ମଞ୍ଜରୀ ଜେନା, ପଙ୍କଜିତା ଶବର, କଲ୍ୟାଣୀ ସାହୁ, ଜ୍ୟୋତ୍ସ୍ନା ଶତପଥୀ, ସୁଶ୍ରୀ ମହାପାତ୍ର, ଲକ୍ଷ୍ମୀପ୍ରିୟା ଦାସ, ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ଦୁଶିଳା ଧାରୁଆ, ବାଳକୃଷ୍ଣ ଭୋଇ, ନିରଞ୍ଜନ ପାତ୍ର, ପ୍ରମିଳା ସିଂହ, ପ୍ରଭାସିନୀ ପାଢ଼ୀ, ସାଧବୀ ବିଶ୍ୱାଳ, ମୀରା ଦଳବେହେରା, ଓଡ଼ିଶା ଅଙ୍ଗନୱାଡ଼ି ୱାର୍କରସ୍ ଆଣ୍ଡ୍ ହେଲପରସ୍ ଆସୋସିଏସନ୍ର ନମିତା ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ। ଦୁଇଟି ପ୍ରତିନିଧି ଦଳ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ରାଜଭବନଠାରେ ଦାବି ଉପସ୍ଥାପନ କରିଥିବା ବେଳେ ଓଡ଼ିଶାର ମାନ୍ୟବର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲଙ୍କୁ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଦାବିପତ୍ର ଉପସ୍ଥାପନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top