ଅଙ୍ଗନୱାଡି ଘର ନିର୍ମାଣର କଛପ ଗତି ୪୨୨ରୁ ୩୦୩ ଘର ପାଇଁ କାର୍ଯ୍ୟାଦେଶ, ୧୭୦ ଘର ନିର୍ମାଣ ସଂପୂର୍ଣ୍ଣ, ବାକି ଅଛି ୧୩୩

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଅଙ୍ଗନୱାଡି ଘର ନିର୍ମାଣକୁ ତୁରନ୍ତ ସାରିବାକୁ ସରକାରୀ ତାଗିଦ ସତ୍ତ୍ୱେ ଏହି ଜିଲାର ବାସୁଦେବପୁର ବ୍ଲକରେ ଏହି ଘର ନିର୍ମାଣ କାର୍ଯ୍ୟ କଛପ ଗତିରେ ଚାଲିଛି। ଘର ନଥିବାରୁ ଅଙ୍ଗନବାଡିକୁ ଆସୁଥିବା ପିଲାଙ୍କୁ ଧରି କର୍ମୀ ଓ ସହାୟିକା ହନ୍ତସନ୍ତ ହେଉଛନ୍ତି। କେଉଁଠି କର୍ମୀ ଓ ସହାୟିକାଙ୍କ ଘର ଅଗଣାରେ ତ ଆଉ କେଉଁଠି କ୍ଲବ ଘରେ କେନ୍ଦ୍ର ଚାଲୁଛି। କେତେକ କେନ୍ଦ୍ର ବିଦ୍ୟାଳୟ ପରିସର ଓ ଅସୁରକ୍ଷିତ ସ୍ଥାନରେ ମଧ୍ୟ ଚାଲୁଛି। ଏପରି ଅବ୍ୟବସ୍ଥାରେ କୁନି କୁନି ପିଲାଙ୍କ ଭବିଷ୍ୟତ ତିଆରି ହେଉଥିବା ବେଳେ କେନ୍ଦ୍ରର ଘର ନିର୍ମାଣକୁ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି। ଆନ୍ତରିକତା ନା ଅର୍ଥର ଅଭାବ ପାଇଁ ଅଙ୍ଗନବାଡି ଘର ନିର୍ମାଣ ତ୍ୱରାନ୍ୱିତ ହୋଇପାରୁନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ବାସୁଦେବପୁର ବ୍ଲକ ଓ ପୌରପାଳିକାରେ ରହିଛି ୪୨୨ ଅଙ୍ଗନବାଡି କେନ୍ଦ୍ର। ସେଥିରୁ ପୌରପାଳିକାରେ ୭୦ଟି କେନ୍ଦ୍ର ଥିବାବେଳେ ବ୍ଲକରେ ରହିଛି ୩୫୨ଟି। ହେଲେ ବହୁ କେନ୍ଦ୍ରରେ ଘର ନଥିବାରୁ କର୍ମୀ, ସହାୟିକାଙ୍କ ସହିତ ପିଲାମାନେ ଅଡୁଆରେ ପଡୁଛନ୍ତି। ଘର ବାରଣ୍ଡା, ବିଦ୍ୟାଳୟ ପରିସର, କ୍ଲବ ଘର ଓ କେତେକ କେନ୍ଦ୍ର କର୍ମୀ, ସହାୟିକାଙ୍କ ଘରେ ଚାଲୁଛି। ଘର ନଥିବା କେନ୍ଦ୍ରରେ ବର୍ଷା ଦିନେ ବହୁ ସୁବିଧାରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ବର୍ଷ ବର୍ଷ ଧରି ନାନା ସମସ୍ୟା ମଧ୍ୟରେ କେନ୍ଦ୍ର ଚାଲିଆସୁଥିଲେ ବି ଘର ନିର୍ମାଣ ହୋଇପାରୁନି। ବ୍ଲକ ତରଫରୁ ଘର ନିର୍ମାଣ ପାଇଁ କୁହାଯାଉଥିବା ବେଳେ ବାସ୍ତବରେ ଘର କାମକୁ ତ୍ୱାରାନ୍ୱିତ ହୋଇପାରୁନି। ସୂଚନା କହୁଛି, ୩୦୩ କେନ୍ଦ୍ରର ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ହୋଇଛି। ସେଥିମଧ୍ୟରୁ ୧୭୦ଟି କେନ୍ଦ୍ରର ଘର ନିର୍ମାଣ ହୋଇଛି। ବାକି ୧୩୩ଟି କେନ୍ଦ୍ରର ଘର ନିର୍ମାଣ ବହୁ ପଛରେ ପଡିଛି। ଏପରିକି କେତେକ କେନ୍ଦ୍ରର ଘର ନିର୍ମାଣର ମୂଳଦୁଆ ପଡିନି। ଆଉ କେତେକ ଅଧପନ୍ତରିଆ ଓ ଗ୍ରେଡବିମ୍ରେ ସୀମିତ ରହିଛି। ଆଉ କେତେକ କେନ୍ଦ୍ରର ଆବଶ୍ୟକ ଭିତ୍ତିଭୂମି ଥାଇ ବି ରାଜନୈତିକ ଠେଲାପେଲା ପାଇଁ ଘର ନିର୍ମାଣ ହୋଇପାରୁନି ବୋଲି ଶୁଣିବାକୁ ମିଳୁଛି। ଘର ତିଆରି କରିବା ଦାୟିତ୍ୱ ବ୍ଲକ ପ୍ରଶାସନର। କାମ ସଂପୂର୍ଣ୍ଣ କରି ଆସିଡିଏସ ବିଭାଗକୁ ଘର ହସ୍ତାନ୍ତର କରିବା ନିୟମ ରହିଛି। ସେଥିପାଇଁ ୩୦୩ଟି ସ୍ଥାନରେ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବା ସହିତ ରାଜସ୍ୱ ନିରୀକ୍ଷକଙ୍କୁ ତଦାରଖର କାଗଜପତ୍ର ଦିଆଯାଇଛି। ଏହା ସତ୍ତ୍ୱେ ବି କାମ ଆଶାନୁରୂକ ହୋଇପାରୁନାହିଁ ବୋଲି ସିଡିିଓ ଜାନକୀ ଦାସ କହିଛନ୍ତି। ଘର ନଥିବାରୁ ପିଲାଙ୍କ ସହିତ କର୍ମୀ ଓ ସହାୟିକା ନାନା ସମସ୍ୟାରେ ପଡୁଥିବା ବେଳେ ନିର୍ମାଣକୁ ତ୍ୱରାନ୍ୱିତ କରାଯିବ ବୋଲି ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି। ଘର ବାରଣ୍ଡା, କ୍ଲବ ଘର ଓ ଅସୁରକ୍ଷିତ ସ୍ଥାନ ଓ ବିଦ୍ୟାଳୟ ପ୍ରାକ ବିଦ୍ୟାଳୟ ଶିକ୍ଷା ନେଉଥିବା ନିଷ୍ପାପ ଶିଶୁମାନଙ୍କ ଭାଗ୍ୟ କେବେ ବଦଳିବ, ତାହା ସମୟ କହିବ।

Leave a Reply

Your email address will not be published. Required fields are marked *