ଜିଲ୍ଲା ପରିକ୍ରମା

ଅଙ୍ଗନୱାଡି କର୍ମୀଙ୍କୁ ଆକ୍ରମଣ ଘଟଣା : ଏତଲା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୁଲିସ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ବାସୁଦେବପୁର ଥାନା ଅନ୍ତର୍ଗତ ବରଣ୍ଡୁଆ ପଞ୍ଚାୟତର ରତାଙ୍ଗ-୨ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀଙ୍କୁ ଗତ ୬ ତାରିଖ ଦିନ କେନ୍ଦ୍ର ମଧ୍ୟରେ ଅତର୍କିତ ମରଣାନ୍ତକ ଆକ୍ରମଣ ଓ କିରୋସିନ ଢାଳି ପୋଡି ଦେବାକୁ ଉଦ୍ୟମ କରାଯାଇଥିବା ନେଇ ବାସୁଦେବପୁର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଆଜି ସ୍ଥାନୀୟ ବାଲ୍ଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗକାରିଣୀ ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ସବିତା ସେଠୀ ସାମ୍ବାଦିକଙ୍କୁ କହିଛନ୍ତି । ରତାଙ୍ଗ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ସବିତା ସେଠୀ ଏବଂ ସହାୟିକା ଅବନ୍ତୀ ମଳିକଙ୍କ ମଧ୍ୟରେ ଦୀର୍ଘ ଦିନରୁ  ବିବାଦ ଲାଗି ରହିଆସିଛି । ଏ ନେଇ ଅଙ୍ଗନୱାଡି କେନ୍ଦ୍ରରେ ଫେବୃଆରୀ ୧୬ ତାରିଖରୁ ତାଲା ପଡିଯାଇଥିଲା । ଭାରତୀୟ ମଜଦୁର ସଂଘ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସେପ୍ଟେମ୍ବର ୨୬ ତାରିଖରୁ ପୁଣି ଏହା କାର୍ଯ୍ୟ କରୁଥିଲା । ମାତ୍ର କର୍ମୀ ଓ ସହାୟିକାଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିଥିଲା । କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ହେଲେ ସମସ୍ୟାର କିଛିଟା ସମାଧାନ ହୋଇ ପାରନ୍ତା ବୋଲି ଉପଲବ୍ଧି କରି ଉପଜିଲ୍ଳାପାଳଙ୍କୁ ସ୍ଥାନ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ବାରମ୍ବାର ଦୁହିଁଙ୍କ ମଧ୍ୟରେ କଳି ତକରାଳ ଲାଗି ରହୁଥାଏ । ଯାହା ପାଇଁ ଉଭୟଙ୍କ ମଧ୍ୟରେ ଥିବା ଦ୍ୱନ୍ଦରୁ ଯୋଜନା ବଦ୍ଧ ଭାବରେ ଗତ ୬ ତାରିଖରେ କର୍ମୀ ସବିତା ସେଠୀ କେନ୍ଦ୍ରରେ ଥିବା ବେଳେ ଅତର୍କିିତ ଭାବେ ସହାୟିକା ଅବନ୍ତୀ ମଳିକ ଏବଂ ତାଙ୍କ ସହିତ ଜୟନ୍ତୀ ମଳିକ ନାମରେ ଦୁଇଜଣ ମହିଳା କେନ୍ଦ୍ରକୁ ଆସି ତାଙ୍କୁ ମାଡ ମାରିଥିଲେ । ସବିତା ଚେତାଶୂନ୍ୟ ହୋଇ ପଡିଥିଲେ । ଏ ସଂପର୍କରେ ତାଙ୍କ ସ୍ୱାମୀ ଫୋନ ଯୋଗେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସବିତା ଅଚେତନ ହୋଇ ପଡିଥିବା ବେଳେ ତାଙ୍କ ଉପରେ ଏକ ଲୁଙ୍ଗି ଘୋଡା ଯାଇଛି ଓ କିଛି ହାତ ଦୂରରେ ସେ ପିନ୍ଧି ଥିବା ଶାଢୀଟି ପୋଡି ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ସବିତାଙ୍କ ଦେହରୁ କିରୋସିନ ଗନ୍ଧ ବାହାରୁ ଥିଲା । ତେବେ କିଏ ତାଙ୍କ ଶାଢୀ ପୋଡିଲା, କିରୋସିନ କୋଉଠୁ ଆସିଲା, ଲୁଙ୍ଗିଟି କାହାର ଏ ସବୁର ତଦନ୍ତ ଏ ପର୍ଯ୍ୟନ୍ତ ହୋଇ ନାହିଁ । ଗୁରୁତର ଆହତ ସବିତାଙ୍କୁ ତୁରନ୍ତ ଆଣି ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଏବଂ ଏ ସଂକ୍ରାନ୍ତରେ ତାଙ୍କ ସ୍ୱାମୀ ବାସୁଦେବପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ କି ଏ ପର୍ଯ୍ୟନ୍ତ କୌଣସି ତଦନ୍ତ କରି ନାହିଁ । ଏହି ଘଟଣା ସମ୍ପର୍କରେ ସିଡିପିଓ ଅବଗତ ଥାଇ ସେ ମଧ୍ୟ ଏହାର କୌଣସି ତଦନ୍ତ କରି ନାହାନ୍ତି । ଏହା ଗଣମାଧ୍ୟମକୁ ଅବଗତ କରାଇବା ସହିତ ପୁଲିସ ଯଦି ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ଏବଂ ଆସାମୀଙ୍କୁ ଗିରଫ ନ କରେ ତେବେ ଏସପି ଅଫିସ ଆଗରେ ଆମରଣ ଅନଶନ କରାଯିବ । ଧାରଣା ଧର୍ମଘଟ କରି କଲେକ୍ଟର ଅଫିସ ଘେରାଓ କରାଯିବ ବୋଲି ସମ୍ମିଳନୀରେ ଚେତାବନୀ ଦିଆ ଯାଇଛି ।  ଏହି ସମ୍ମିଳନୀରେ କର୍ମୀ ସେଠୀଙ୍କ ସହିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନର ଜିଳ୍ଳଶ ସଭାନେତ୍ରୀ ପ୍ରମିଳା ପାଢୀ, ସନ୍ଧ୍ୟା ପୋହି, ବିଏମ୍ଏସ୍ର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ମୁକ୍ତିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top