ଓଡ଼ିଶା

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ, ୫ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପୂର୍ବ ଶତ୍ରୁତାକୁ ନେଇ ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ଗ୍ରାମପଞ୍ଚାୟତର କଲେଇ-ଗଉଡସାହିର ଜଣେ ବ୍ୟକ୍ତିର ଗୃହକୁ କେତେକ ଦୃବୁର୍ତ୍ତ ପୋଡି ଦେଇଥିବା ସଂପର୍କିତ ଅଭିଯୋଗ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କରାଯାଇଛି। ଗୃହକର୍ତ୍ତା ପଞ୍ଚାନନ ବେହେରାଙ୍କ ଅଭିଯୋଗରୁ ଯାହା ଜଣାଯାଏ ତାଙ୍କର ସେହି ଗ୍ରାମର କିଛି ବ୍ୟକ୍ତିଙ୍କ ସହ ପୂର୍ବ ଶତ୍ରୁତା ରହିଥିଲା। ଗତକାଲି ରାତିରେ ପଞ୍ଚାନନ ସପରିବାର ଶୋଇଥିବାବେଳେ ରାତି ପ୍ରାୟ ୨ଟା ସମୟରେ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ମୂଳରେ ସେ କେତେକ ଲୋକଙ୍କୁ ଦାୟୀ କରିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ତାଙ୍କର ୮ ବଖରା ଘର ସମେତ ୫ ଗାଈ ଓ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥବବାବେଳେ ଲକ୍ଷାଧିକ ଟଙ୍କାର ଧାନ ଓ ଆସବାବ ପତ୍ର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଏହି ଘଟଣାର ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ ମଧ୍ୟ କୌଣସି ଜିନିଷ ଉଦ୍ଧାର କରାଯାଇପାରିନଥିଲା। ପଞ୍ଚାନନ ଦରିଦ୍ର ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top