ଅକ୍ଟୋବରରେ ସଶକ୍ତ ଭାରତ ନବନିର୍ମାଣ ଆଧ୍ୟାତ୍ମିକ ମହୋତ୍ସବ : ଲକ୍ଷାଧିକ ଲୋକ ଯୋଗଦେବେ

ସମ୍ବଲପୁର, ୩/୯ (ଓଡ଼ିଆ ପୁଅ/ବ୍ୟମୋକେଶ ପଣ୍ଡା) – ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଗାମୀ ଅକ୍ଟୋବର ମାସ ୨୮ ଓ ୨୯ ତାରିଖରେ ସମ୍ବଲପୁର ଠାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଝାରଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ସଂସ୍ଥାନର ମୁଖ୍ୟ ପ୍ରଶାସିକା ଦାଦି ଜାନକୀଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏହି ସଶକ୍ତ ଭାରତ ନବନିର୍ମାଣ ଆଧ୍ୟାତ୍ମିକ ମହୋତ୍ସବର ପ୍ରସ୍ତୁତି ବାବଦରେ ଆଜି ସଂସ୍ଥାନର ସ୍ଥାନୀୟ ଦାନୀବନ୍ଧସ୍ଥିତ ପଶ୍ଚିମ ଓଡ଼ିଶା କ୍ଷେତ୍ରୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଂଚାଳିକା ଭଉଣୀ ପାର୍ବତୀ ଏ ବାବଦରେ ସୂଚନା ଦେଇଥିଲେ। ସଂଗଠନର ୮୦ତମ ବର୍ଷ ପାଳନ ଅବସରରେ ସମ୍ବଲପୁର ଠାରେ ଏହି ମହୋତ୍ସବ ଅକ୍ଟୋବର ୨୪ ତାରିଖ ଠାରୁ ଆରମ୍ଭ ହେବ। ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ସଶକ୍ତ ଭାରତ ନବନିର୍ମାଣ ମେଳା ଅଇଁଠାପାଲି ପିଏଚଡ଼ି ପଡ଼ିଆଠାରେ ଆୟୋଜନ କରାଯାଇଛି। ଏହା ପ୍ରତ୍ୟହ ସକାଳ ୧୦ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଚାଲିବ। ୨୯ ତାରିଖ ଦିନ ଗୋଟାଏରେ ଈଶ୍ୱରୀୟ ଜ୍ଞାନ ଦ୍ୱାରା ସୁଖ ଓ ଶାନ୍ତିର ପ୍ରାପ୍ତି କାର୍ଯ୍ୟକ୍ରମ ସହିତ ମହୋତ୍ସବ ଉଦ୍ୟାପିତ ହେବ। ନବନିର୍ମାଣ ମେଳାରେ ସଶକ୍ତି ଭାରତ, ଗଣମାଧ୍ୟମ, ଜାଗୃତୀ, ଚିକିତ୍ସା, ଧ୍ୟାନ ପ୍ରଭୃତି ୧୨ଟି ପ୍ରଭାଗ ରହିବ। ଏଥିସହିତ ଭିଡ଼ିଓ ସୋ’ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ସୂଚନା ରହିଛି। ଶାସନ ପାଖରେ ଥିବା ବିଶ୍ୱବିଦ୍ୟାଳୟର ମୈତ୍ରୀ ଉଦ୍ୟାନରେ ମଧ୍ୟ ଏହି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେ କହିଲେ ଯେ, ୧୦୨ ବର୍ଷରେ ପଦାର୍ପଣ କରିଥିବା ଦାଦି ଜାନକୀଙ୍କ ଆଗମନ ଏକ ସୁଯୋଗ ଅଟେ। ଜାତିସଂଘ, ୟୁନିସେଫ ଭଳି ସଂସ୍ଥା ସହ ଜଡିତ ଓ ଅନେକ ପୁସ୍ତକର ରଚୟିତା ତଥା ଲଣ୍ଡନର ସଂସଦ ପକ୍ଷରୁ ଭାରତ ଗୌରବ ଉପାଧି ପାଇଥିବା ଦାଦି ଜାନକୀ ୮୫ରୁ ଉଦ୍ଧ୍ୱର୍ ଦେଶ ଗସ୍ତକରି ବିଶ୍ୱଶାନ୍ତିର ବାର୍ତ୍ତା ପହଞ୍ଚାଇଛନ୍ତି। ମହୋତ୍ସବରେ ଲକ୍ଷାଧିକ ଲୋକ ଅଂଶଗ୍ରହଣ କରିବେ। ଏହି ସମୟରେ ଭାଇଭଉଣୀମାନଙ୍କୁ ସମ୍ମାନୀତ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଆତ୍ମଜାଗୃତି, ସମସ୍ତଙ୍କ ମଧ୍ୟରେ ଆଧ୍ୟାତ୍ମ ଭାବ ସୃଷ୍ଟି ପ୍ରଭୃତି ହିଁ ଏହି ମହୋତ୍ସବର ଲକ୍ଷ୍ୟ ବୋଲି ମୁଖ୍ୟ ସଂଚାଳିକା ପାର୍ବତୀ ଭଉଣୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆରତୀ ଭଉଣୀ, ଦୀପା ଭଉଣୀ ପ୍ରମୁଖ ବିଭିନ୍ନ ବିଷୟରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *