ଅକ୍ଟୋବରରେ କାର୍ଯ୍ୟକ୍ଷମ ହେବ ହୀରାକୁଦ ରୋପ୍ ୱେ ପ୍ରକଳ୍ପ

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ)- ହୀରାକୁଦ ଡ୍ୟାମ ଅଞ୍ଚଳକୁ ପର୍ଯ୍ୟଟକମାନଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଡ୍ୟାମର ବାମ ପାର୍ଶ୍ୱ ଡାଇକ୍ରେ ଥିବା ଗାନ୍ଧି ମିନାର ଠାରୁ ଜବାହାର ଉଦ୍ୟାନ ପର୍ଯ୍ୟନ୍ତ ରୋପ୍ ୱେ ସଂଯୋଗ କରାଯିବ। ଧାର୍ଯ୍ୟ ସମୟ ଠାରୁ ଏହି ରୋପ୍ ୱେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଆଗାମୀ ଅକ୍ଟୋବର ମାସ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ପୂର୍ତ୍ତ ବିଭାଗ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ଓଡ଼ିଶା କନ୍ଷ୍ଟ୍ରକ୍ସନ କର୍ପୋରେସନ (ଓସିସି) ଜରିଆରେ ଏହି ନିର୍ମାଣ କରାଯାଉଛି। ଏବେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ଧାର୍ଯ୍ୟ ତାରିଖ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରାଯିବ ବୋଲି ଓସିସିର ବରିଷ୍ଠ ମ୍ୟାନେଜର ବି.କେ.ସାହୁ କହିଛନ୍ତି। ଏହି ରୋପୱେ ପ୍ରକଳ୍ପରେ ୪ଟି ଟାୱାରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ବୈଷୟିକ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଜୁନ ମାସରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପ୍ରଥମେ ପରିବେଶ ମଞ୍ଜୁରି ଓ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ପ୍ରକଳ୍ପର କଂକ୍ରିଟ କାର୍ଯ୍ୟ ଉତ୍ତାରୁ ଏବେ ଫେବ୍ରିକେସନ ଆଦି ଆନୁସଙ୍ଗିକ କାର୍ଯ୍ୟ ଚାଲିଛି। ଏହି ରୋପୱେରେ ୧୨ଟି ଟ୍ରଲି ରହିବ। ଗୋଟିଏ ଟ୍ରଲିରେ ୪ ଜଣ ପର୍ଯ୍ୟଟକ ବସିପାରିବେ। ପ୍ରକଳ୍ପ ପାଇଁ ୬ କୋଟି ୨୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଏହାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ୪୨୧ ମିଟର ଲମ୍ବ ଏହି ରୋପୱେ ପ୍ରକଳ୍ପକୁ ନିର୍ମାଣ ସମ୍ପୂର୍ଣ୍ଣ ହେବା ଦିନଠାରୁ ତିନିବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ। ଜବାହାର ଉଦ୍ୟାନ ଓ ହୀରାକୁଦ ଡ୍ୟାମକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମନୋରମ ଦୃଶ୍ୟ ପ୍ରଦାନ କରିଥାଏ। ସେହିଭଳି ଏହାର ପାଖରେ ଡ଼୍ୟାମର ବାମପାର୍ଶ୍ୱରେ ଥିବା ଗାନ୍ଧିମିନାର ଉପରୁ ହୀରାକୁଦ ସହର ଓ ଡ୍ୟାମର ଜଳରାଶିର ବିହଙ୍ଗମ ଦୃଶ୍ୟ ଉପଭୋଗର ସୁବିଧା ମିଳିଥାଏ।

Leave a Reply

Your email address will not be published. Required fields are marked *