ଓଡ଼ିଶା

ଅଇଁଠାପାଲି ଥାନା ହାଜତରେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଲଙ୍କାକାଣ୍ଡ : ଥାନା ଉପରେ ଆକ୍ରମଣ ଓ ପୋଡ଼ାଜଳା

ସମ୍ବଲପୁର, ୯/୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସହରର ଅଇଁଠାପାଲି ଥାନାରେ ନିକଟସ୍ଥ ଭାଲୁପାଲିର ଜଣେ ଯୁବକ ଅବିନାଶ ମୁଣ୍ଡା (୧୯)ଙ୍କ ମୃତ୍ୟୁକୁ କେନ୍ଦ୍ରକରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଜି ସକାଳୁ ଉତ୍ତ୍ୟକ୍ତ ଲୋକେ ଥାନାକୁ ଆସିଥିଲେ। ଏଠାରେ ପୋଲିସ ସହ ମୁହାଁମୁହିଁ ହେବା ଉତ୍ତାରୁ ଥାନା ଭିତରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୭ରୁ ଉର୍ଦ୍ଧ୍ୱ ପୋଲିସ ଆହତ ହୋଇଛନ୍ତି। ପୋଲିସ ଲାଠିଚାର୍ଜ କରିବା ଉତ୍ତାରୁ ଥାନା ସମ୍ମୁଖସ୍ଥ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥରୁ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା କରାଯାଉଥିବା ରାସ୍ତାରୋକ ହଟିଯାଇଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଥିଲା। ଘଟଣାସ୍ଥଳରେ ୭ ପ୍ଲାଟୁନ୍ରୁ ଉର୍ଦ୍ଧ୍ୱ ପୋଲିସ ଏବଂ ର୍ୟାପିଡ଼୍ ଆକ୍ସନ ଫୋର୍ସ ଯବାନମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ଭାଲୁପାଲିରେ ମଧ୍ୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ଭାଲୁପାଲିର ଅବିନାଶ ମୁଣ୍ଡା ଏବଂ ଆଉ ୨ ଜଣଙ୍କୁ ଏକ େଚାରି ମାମଲାରେ ଥାନାକୁ ନି÷ଆଯାଇଥିଲା। ଆଜି ଭୋର ୩ଟା ସମୟରେ ଥାନା ହାଜତରେ ତାଙ୍କ ମୃତ ଶରୀର ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାବାଦ୍ ଅବିନାଶକୁ ସଙ୍ଗେ ସଙ୍ଗେ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ଏସ୍ପି ସଞ୍ଜିବ ଆରୋରା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଥାନା ଏବଂ ପରେ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଖାନାରେ ମାଜିଷ୍ଟ୍ରେଟ ଏବଂ ଅବିନାଶଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ମରଶରୀରର ଇନ୍କ୍ୱେଷ୍ଟ କରାଯାଇଥିବା ଜଣାପଡ଼ିଛି। ଏହାବାଦ ଅବିନାଶଙ୍କ ମରଶରୀରକୁ ବୁର୍ଲା ମେଡ଼ିକାଲରେ ବ୍ୟବଚ୍ଛେଦ କରାଯାଇଥିଲା। ଏଥିରେ ଭିଡ଼ିଓଗ୍ରାଫ ସହିତ ଏକ ସ୍ୱତନ୍ତ୍ର ଡାକ୍ତର ଦଳ ନିୟୋଜିତ ହୋଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍ପି ସଞ୍ଜୀବ ଆରୋରା ଭାଲୁପାଲି ଗାଁକୁ ଯାଇଥିଲେ।

ହେଲେ ସକାଳୁ ଅବିନାଶ ମୁଣ୍ଡାଙ୍କ ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ବହୁସଂଖ୍ୟକ ମହିଳାଙ୍କ ସମେତ ଶହ ଶହ ଉତ୍ତ୍୍ୟକ୍ତ ଲୋକ ଥାନା ସମ୍ମୁଖରେ ପହଞ୍ଚିଥିଲେ। ଥାନାରେ ଉପସ୍ଥିତ ଥିବା ପୋଲିସଙ୍କ ସହିତ ଏମାନଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉତ୍ତ୍ୟକ୍ତ ଲୋକେ ଥାନା ଉପରକୁ ପଥର ଫିଙ୍ଗି କୋଠାର କାଚ ଝରକା ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗି ଦେବା ଉତ୍ତାରୁ ଭିତରେ ଥିବା କମ୍ପୁ୍ୟଟର ଓ ଆଲମୀରା ଆଦି ସହିତ ଜବତ ଓ ଅନ୍ୟାନ୍ୟ ଗାଡ଼ିମୋଟରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଥାନା ପରିସରଟି ଛାରଖାର ହୋଇଯାଇଥିଲା। ପଥର ମାଡ଼ରେ ହୀରାକୁଦ ଏସଡ଼ିପିଓ ଅବକାଶ ରାଉତରାୟ ରକ୍ତାକ୍ତ ହୋଇଛନ୍ତି। ଅନ୍ୟ ୬ରୁ ଉର୍ଦ୍ଧ୍ୱ ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଛନ୍ତି। ଏସପିଙ୍କୁ ମଧ୍ୟ ଧସ୍ତାଧସ୍ତି କରିବା ସହିତ ମାଡ଼ ମାରିଛନ୍ତି। ଏହି ସମୟରେ ସକାଳୁ ଥାନା ସମ୍ମୁଖସ୍ଥ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରାଯାଇଥିଲା। ଦୀର୍ଘ ୩/୪ ଘଣ୍ଟା ଉତ୍ତାରୁ ପୋଲିସ ଲାଠି ଚାଳନା କରିବା ଦ୍ୱାରା ରାସ୍ତା ଅବରୋଧ ହଟିଥିଲେ ମଧ୍ୟ ଟ୍ରାଫିକ୍ ସମସ୍ୟା ଓ ଉତ୍ତେଜନା ପ୍ରଶମିତ ହୋଇନଥିଲା। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳେକୁ ସବୁକିଛି ଛାରଖାର ହୋଇ ସାରିଥିଲା।

ପୋଲିସ ଏହାକୁ ଏକ ଆତ୍ମହତ୍ୟା ଜନିତ ମାମଲା କହୁଛି। ଅବିନାଶ ମୁଣ୍ଡା ଟଏଲେଟ୍ ଯିବାକୁ ଚାହିଁଥିଲେ। ଏହି ସମୟରେ ଜଣେ ମହିଳା ସେଣ୍ଟ୍ରି ଥିବାରୁ ଅବିନାଶ ମୁଣ୍ଡା ଟଏଲେଟରେ ଧରିଥିବା କମ୍ବଳକୁ ଚିରିଥିଲେ ଓ ତାହାକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଉଛି। ହେଲେ ଥାନାରେ ମାଡ଼ ଯୋଗୁଁ ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଥାନାର ଆଇଆଇସି ଶ୍ରୀମନ୍ତ ବାରିକଙ୍କୁ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିୟମ ଅନୁଯାୟୀ ଏହି ମାମଲାର ତଦନ୍ତ ଚାଲିଛି ବୋଲି ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ କୁମାର ନାଥ କହିଛନ୍ତି। ଏହି ଘଟଣାରେ ଯେ କେହି ମଧ୍ୟ ଦୋଷୀ ଥିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲେ ଗତ ରାତି ଅଇଁଠାପାଲି ଥାନାର ଦାୟିତ୍ୱରେ ଥିବା ଡ଼ିସିଓ ଏବଂ ସେଣ୍ଟ୍ରିଙ୍କୁ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ସେହିଭଳି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଚଆରପିସି ଟିମ୍ ଏହି ଘଟଣାର ତଦନ୍ତ କରିବେ ବୋଲି ଆଇଜି ଶ୍ରୀ ନାଥ ସୂଚନା ଦେଇଛନ୍ତି। ଜାତୀୟ ମାନବ ଅଧିକାର କମିଶନ ମଧ୍ୟ ଏହି ଘଟଣାର ଅନୁସନ୍ଧାନ କରିବ ବୋଲି ଜଣାପଡ଼ିଛି।

ଜିଲ୍ଲାର ପ୍ରମୁଖ ହାଜତ ମୃତ୍ୟୁ ଘଟଣା

ଗତ ପ୍ରାୟ ଦୁଇ ଦଶନ୍ଧି ଭିତରେ ସମ୍ବଲପୁର ଜିଲ୍ଲାରେ ଅନେକ ହାଜତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ୨୦୦୪ କୁଚିଣ୍ଡା ଥାନାରେ ଗଜେନ୍ଦ୍ର ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁପରେ ଥାନା ପୋଡ଼ାଜଳା ସହିତ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେହିଭଳି ଟାଉନ ଥାନାର ଘୁନ୍ଘୁଟିପଡ଼ାର ଜଣେ ଯୁବକ ପୋଲିସ ମାଡ଼ରେ ମୃତ୍ୟୁବରଣ କରିଥିବା ନଜିର ରହିଛି। ତା ପୂର୍ବରୁ ୧୯୯୨ରେ ଧନୁପାଲି ଥାନା ଅଶୋକ ଟକିଜ ଅଞ୍ଚଳରୁ ଗିରଫ ସଲିମ ନାମକ ଜଣେ ଯୁବକର ମୃତ୍ୟୁକୁ କେନ୍ଦ୍ରକରି ସହର ସାରା ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଧନୁପାଲି ଥାନା ଉପରେ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ଥାନା ଭିତରୁ ପୋଲିସ ଅଧିକାରୀ ରିଭଲଭରରୁ ଗୁଳି ଚାଳନା କରିବାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଏଥିରେ ଟାଉନ ଥାନାରେ ଥିବା ତକ୍ରାଳୀନ ଏସ୍ପି ଉତ୍ତ୍ୟକ୍ତ ଲୋକଙ୍କ ପଥରମାଡ଼ରେ ଆହତ ହୋଇଥିଲେ। ଗତବର୍ଷ ମଧ୍ୟ ଅଇଁଠାପାଲି ଥାନାରେ ଏକ ମୋବାଇଲ େଚାରି କେସରେ ବିହାରର ଅଭୟ ସିଂହ ନାମକ ଜଣେ ବ୍ୟକ୍ତି ପୋଲିସ ମାଡ଼ରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା।

(ଫଟୋ ସୌଜନ୍ୟ – ସୋସିଆଲ୍ ମିଡ଼ିଆ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top