କବିତା

।।ଆରକ୍ଷଣ।।

-ଏଲି ମହାନ୍ତି,ବାରିପଦା

କହିଲୁ,
ସତରେ କ’ଣ ତୋ ଡେଣା କାଟିବା ପରି ଅସ୍ତ୍ର ଥିଲା କେବେ ମୋ ପାଖରେ ?

ତୋ ଡେଣାରେ ମାଖିହେଇ
ପାହାଡ ତଳକୁ ଓହ୍ଲେଇ ଆସୁଥିଲା ଆଲୁଅ
ତୁ ଗୁଣୁ ଗୁଣେଇଲେ
ଧାନ କେଣ୍ଡାରେ ତେଣ୍ଡି ଯାଉଥିଲା କ୍ଷୀର
ତୁ ହିଁ କେବେ ରୁଅ ହେଇ ଠିଆ ହେଲୁ
ମୋ ଘର ପାଇଁ
ତୋତେ ଭରାଦେଇ ମୁଁ ବାନ୍ଧିଲି ଚଉଷଠି ବନ୍ଧନ

ମୋ ଉଆସ ବାହାରେ
ତୁ ଘାସରେ ପଡିଥିବା ବୁନ୍ଦେ କାକର !!

ପାଂଚ ହଜାର ବର୍ଷର ଲଢେଇ ପରେ ବି ଚିହ୍ନିନୁ ତୋ ଉଡାଣ
କି ମୋ ଉଦାରପଣ…..

ଛାଇର ରଂଗ ଅଲଗା ନୁହେଁ
ତଥାପି ଛିଂଚୁଥାଏ ଗୋବର ପାଣି
କାଳେ ରହିଯିବ ତୋ କୃତଜ୍ଞତାର ଚିହ୍ନ..?

ତୋ ଧନୁତୀରର ଶକ୍ତିକୁ
ସୂତ ପୁତ୍ରର ଖୋଳପାରେ ଘୋଡେଇ
ହାତରେ ଯତ୍ନରେ ଧରେଇ ଦେଲି ମନୁସ୍ମୃତି……
ବାଦ,ଭେଦ,ବିବାଦର ମହାମନ୍ତ୍ର…!
ଦୁର୍ବାର ତୁ….!!
ତୋ ଆଗରେ ମୋର ଏ ବୃହନ୍ନଳାର ନୃତ୍ୟ…!!

ପଥରରେ ପଥର ଘସି
ତୁ ଗଢିଲୁ ସଭ୍ୟତା
ଆଜି
ସଭ୍ୟତାର ସେହି ମହାକାବ୍ୟରେ
ତୁ କେବଳ ଗୋଟିଏ ଅନୁଚ୍ଛେଦ ମାତ୍ର….!

କେବେ ହୁଏତ ମୋ ହସରେ ଭାଂଗିଯିବ ତୋ ନିଦ
ସେତେବେଳେ ବି କେହି ଜଣେ ମୋରି ପରି ମହାପୁରୁଷ ତୋତେ ନୁଆଁଇ ରଖିବାକୁ
ସମ୍ବିଧାନରେ ଲେଖୁଥିବେ
ନୂଆ ଗୋଟେ ଅନୁଚ୍ଛେଦ !

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top